ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ ଭୂମିପୂଜା ପାଇଁ କରାଯାଉଥିବା ପ୍ରସ୍ତୁତି ପୂର୍ବରୁ ଅଞ୍ଚଳବାସୀ ଗୁରୁବାର ବିରୋଧ କରିଛନ୍ତି। ମାଳିପୁଟ ଗ୍ରାମ ଛକ ନିକଟରେ ୩, ୪ ଗ୍ରାମର ଗ୍ରାମବାସୀ ଏକତ୍ର ହୋଇ ଏହି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ବ୍ଲକ୍ର ମାଳିପୁଟ, କୋଟିଆ, ପଟ୍ଟାଙ୍ଗି, ନୂଆଗାଁ ସହ ସେମିଳିଗୁଡା ବ୍ଲକର ୨ ପଞ୍ଚାୟତବାସୀ ଏହି ବକ୍ସାଇଟ ଖଣି ଖନନକୁ ଦୀର୍ଘ ବର୍ଷ ହେବ ବିରୋଧ କରି ଆସୁଥିବା ବେଳେ ଏବେ ପଲ୍ଲୀ ଓ ଗ୍ରାମସଭାକୁ ବିରୋଧ କରିଆସୁଛନ୍ତି।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରୁ ଖଣି ଖନନ ଓ ରାସ୍ତା ନିର୍ମାଣ କରିବା ପାଇଁ ଘରୋଇ କମ୍ପାନୀର କେତେକ ଲୋକ ଗ୍ରାମବାସୀଙ୍କୁ ଟଙ୍କା ଦେଇଥିବା ଅଞ୍ଚଳବାସୀ ଖବର ପାଇଥିଲେ। ପାହାଡ଼ ଉପରକୁ ଖଣି ଖନନ ରାସ୍ତା ପାଇଁ ସର୍ଭେ କରାଯାଉଥିବା ଶୁଣି ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇ ଭୂମିପୂଜା କରିବାକୁ ଦେଇ ନ ଥିଲେ। ପ୍ରକାଶ, ମାଳିପୁଟ ଦେଇ ସେରୁବନ୍ଧ ପାହାଡ଼କୁ ଯାଇଥିବା ରାସ୍ତାକୁ ଓସାରିଆ କରିବା ପାଇଁ ଏକ ଘରୋଇ କମ୍ପାନୀକୁ ନାଲ୍କୋ ପକ୍ଷରୁ ଟେଣ୍ଡର ମିଳିଛି। କିନ୍ତୁ ଏହି କାମ ଆଗେଇ ପାରୁ ନ ଥିବାରୁ ରାସ୍ତା ନିର୍ମାଣ ପାଇଁ ଭୂମିପୂଜା ପୂର୍ବରୁ ଟଙ୍କା ବାଣ୍ଟି ଲୋକଙ୍କୁ ଭୂତେଇ ଠିକା ସଂସ୍ଥା କାମ ଆରମ୍ଭ କରିବ ବୋଲି ଗଁା ସାରା ପ୍ରଚାର ହେବା ପରେ ଏଭଳି ପରିସ୍ଥିତି ଉପୁଜିବା ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଞ୍ଚଳବାସୀଙ୍କ ବିରୋଧ ପରେ ଘରୋଇ କମ୍ପାନୀ ଫେରିଯାଇଥିବା ସୂଚନା ମିଳିଛି।