ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ ଅଛନ୍ତି । ଗୋଟିଏ ହନୁ ମାଙ୍କଡ଼ ପାଗଳ ହୋଇ ଆଖପାଖ ଗ୍ରାମର ପ୍ରାୟ ୧୫ ଜଣରୁ ଉର୍ଦ୍ଧ ମହିଳା, ଛୋଟ ପିଲା ବୟସ୍କ ବ୍ୟକ୍ତିମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରୁଥିବା ଜଣାପଡିଛି ।
ସୂଚନା ମୁତାବକ, ପାଟରପଦା ଗ୍ରାମ ପଞ୍ଚାୟତଠୁ ଆରମ୍ଭ କରି ପାଟରପଦା ନୂଆସାହି, କଟାବାହାଳ, କଟାବାହାଳ ନୂଆସାହି, ମେଣ୍ଢାପଦା, ମାଧପୁର ଅଞ୍ଚଳରେ ଆଜକୁ ପ୍ରାୟ ୭ଦିନ ଧରି ହନୁ ମାଙ୍କଡ଼ ଆକ୍ରମଣରେ ଛୋଟ ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ଉପରକୁ ଝାମ୍ପ ମାରିବା ସହିତ ଆକ୍ରମଣ କରୁଛି ।
ପାଗଳ ମାଙ୍କଡ ଶିକାର ହୋଇଥିବା ମଧ୍ୟରେ ବୟସ୍କା ମହିଳା ଶଖି ସାହୁ ବୟସ ୮୫ ବର୍ଷ, କଳାବତୀ ନାୟକ ବୟସ ୬୮, ନାତୁଣୀ ସ୍ବାଗତିକା ନାୟକ ବୟସ ୧୮ ବର୍ଷ ,ସ୍ବତା ଲିନା ସାହୁ ବୟସ ୩୫ ବର୍ଷ ,ନୟନ ନାଥ ବୟସ ୬୨ ବର୍ଷ, ଗଣିଆ ବେଜ, ଜଗା ନାଥ ଭଳି ଛୋଟ ଛୁଆ ମଧ୍ୟ ଏହି ଆକ୍ରମଣର ଶିକାର ହୋଇ ସ୍ଥାନୀୟ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚକିତ୍ସିତ ହେଉଛନ୍ତି । ଖବର ପାଇ ଡିହୋଡଳ ବନଖଣ୍ଡ ଅଧିକାରୀ ଚନ୍ଦ୍ରଶେଖର ବେହେରାଙ୍କ ତତ୍ତ୍ଵାବଧାନରେ ସମସ୍ତ କର୍ମଚାରୀ ସାମୁହିକ ଉଦ୍ୟମ କରି ମାଙ୍କଡକୁ ଧରିବାରେ ବିଫଳ ହେବା ହେତୁ ଟ୍ରାକୁଲାଇଜର ଟିମକୁ ଅବଗତ କରାଇଥିଲେ ।