
ଭୁବନେଶ୍ୱର,୨୭ା୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୨୫ ଶନିବାରରେ ରେଓ୍ବା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା। ତେବେ ରେଓ୍ବାର ମୃତ୍ୟୁ ପରେ ନନ୍ଦନକାନନରେ ଏବେ ସିଂହ ସଂଖ୍ୟା କମି ୨୩ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରୁ ଆସିଥିବା ଏସୀୟ ସିଂହୀ ରେଓ୍ବା ତା’ର ତୃତୀୟ ଗର୍ଭରୁ ନନ୍ଦନକାନନରେ ଶନିବାର ୩ ଛୁଆ ଜନ୍ମ ଦେଇଥିଲା। ସେ ରହୁଥିବା ଫିଡିଂ ଚାମ୍ବରରେ ସକାଳ ୯ଟା ୩୩ରେ ପ୍ରଥମ ଛୁଆ ଜନ୍ମ କରିଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ପ୍ରଥମ ଛୁଆଟି ମୃତଛୁଆ ଜନ୍ମ ହୋଇଥିଲା। ସାଢ଼େ୯ଟାରୁ ୩ଟା ୪୫, ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରେଓ୍ବା ଆଉ ପ୍ରସବ କରିନଥିଲା। ଏହା ଜାଣିବା ପରେ ପରବର୍ତ୍ତୀ ସୁଗମ ପ୍ରସବ ପାଇଁ ରଓ୍ବୋକୁ ୩ଟା ୪୫ରେ ଅକ୍ସିଟୋସିନ ଦିଆଯାଉଥିଲା। ଏହାପରେ ୩ଟା ୫୮ରେ ଆଉ ଗୋଟିଏ ଛୁଆ ଜନ୍ମ କରିଥିଲା। ପରେ ପ୍ରାୟ ୨ଘଣ୍ଟା ପରେ ୫ଟା ୫୬ରେ ତୃତୀୟ ଛୁଆଟିକୁ ଜନ୍ମ ଦେଇଥିଲା।
ତେବେ ପଛରେ ଜନ୍ମ ହୋଇଥିବା ୨ଟିଯାକ ଛୁଆକୁ ରେୱା ଆଦରି ନ ଥିଲା। ଫଳରେ ଉଭୟ ନବଜାତ ଜୀବିତ ୨ଟି ଛୁଆକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହ୍ୟାଣ୍ଡ ରିଅରିଂ ସେଣ୍ଟର୍କୁ ଆଣି ଯତ୍ନ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ୨୦୨୦ ଡିସେମ୍ବର ୨୦ରେ ୮ ବର୍ଷୀୟା ସିଂହୀ ରେୱାକୁ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନକୁ ଅଣାଯାଇଥିଲା। ପୂର୍ବରୁ ୨୦୨୨ରେ ସିଂହ ଜିତ୍ ସହ ରେୱାର ପ୍ରଥମ ମିଳନ କରାଯାଇଥିଲା। ଏଥିରେ ରେୱା ଗର୍ଭଧାରଣ କରିନଥିଲା। ପରେ ୨୦୨୩ ଜାନୁଆରୀରେ ୪ଟି ଛୁଆ ଜନ୍ମ ଦେଇଥିଲା।
ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ଓ ତୃତୀୟ ଛୁଆଟି ଜୀବିତ ଜନ୍ମ ହୋଇଥିବା ବେଳେ ପ୍ରଥମ ଓ ଚତୁର୍ଥ ଛୁଆଟି ମୃତ ଜନ୍ମ ହୋଇଥିଲେ। ଜୀବିତ ଛୁଆ ଦୁହିଁକି ନ ଆଦରିବାରୁ ସେମାନଙ୍କୁ ବେବି ରିଅରିଂ ସେଣ୍ଟରରେ ରଖି ଲାଳନପାଳନ କରାଯାଇଥିଲା। ଏହାର ବର୍ଷେ ପରେ ମାର୍ଚ୍ଚ ୨୦୨୪ରେ ସେହି ଜିତ୍ ସହ ମିଳନ ଘଟାଇ ୩ଟି ଛୁଆ ଜନ୍ମ କରିଥିଲା। ସେମାନଙ୍କୁ ବି ସେ ସେତେବେଳେ ଆଦରି ନଥିଲା। ତାଙ୍କୁ ମଧ୍ୟ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖି ପାଳିବାକୁ ପଡ଼ିଥିଲା। ଶନିବାର ଜନ୍ମ ହୋଇଥିବା ୨ ଜୀବିତ ଛୁଆଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଅଛି। ଏମାନଙ୍କୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସମୁଦାୟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ହେଲେ ଆଜି ରେୱା ମୃତ୍ୟୁ ପରେ ଏହି ସଂଖ୍ୟା ୨୩ରେ ପହଞ୍ଚିଛି।