କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଦ୍ୟୁତ୍ ବିଭାଗ (ଟାଟା ପାଓ୍ବାର)ରେ କାର୍ଯ୍ୟ କରୁଥିବା ଲାଇନ୍ମ୍ୟାନ୍ଙ୍କ ମୃତଦେହ ଆଜି କେନ୍ଦୁଝର ଟାଉନ, ସାମଲ ଅଟୋ ଓଭର ବ୍ରିଜ୍ ନିକଟରୁ ଉଦ୍ଧାର ହୋଇଛି। ସ୍କୁଟରରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତି ୯ଟାରେ ମାଇନିଙ୍ଗ୍ ରୋଡ୍ରେ ଚା’ ପିଉଥିବା ଶେଷଥର ଦେଖିଥିବା ବେଳେ ଉକ୍ତ ସ୍ଥାନକୁ କାହିଁକି ଗଲେ ଓ କିପରି ମୃତ୍ୟୁ ହେଲା ତାହାକୁ ନେଇ ନାନା ପ୍ରଶ୍ନ ତାଙ୍କ ସହଯୋଗୀ କର୍ମଚାରୀ ଉଠାଇବା ସହ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ତାଙ୍କ ନାମ ଦେବାଶିଷ ସ୍ବାଇଁ (୪୧) ଏବଂ ଘର ମୟୂରଭଞ୍ଜ ଜିଲା ବେତନଟୀ ଗ୍ରାମରେ ବୋଲି ଜଣାପଡ଼ିଛି।
ହୃଦ୍ଘାତ ଯୋଗୁ ନା ଅନ୍ୟ କୌଣସି କାରଣ ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଖବର ପାଇ ଟାଟା ପାଓ୍ବାରର କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

