Torrential rain causing flood.
ଭୁବନେଶ୍ୱର,୭ା୯(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୨ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୧୩ ତାରିଖରେ ଏହା ଲଘୁଚାପ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା ଆଦି ଜିଲାରେ ୧୨ ତାରିଖରୁ ୧୪ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଉପକୂଳ ଓଡିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ରାଜ୍ୟରେ ଆସନ୍ତା ସପ୍ତାହେ ଯାଏ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ରାୟଗଡା, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ନୟାଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, ବରଗଡ଼, ସମ୍ବଲପୁର ଏବଂ ବଲାଙ୍ଗୀର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡି ସହ ବର୍ଷା ହେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଚଳିତ ମୌସୁମୀରେ ଏ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ବାଭାବିକ ରହିଛି। ଜୁନ ପହିଲାରୁ ସେପ୍ଟେମ୍ବର ୬ ତାରିଖ ଯାଏ ରାଜ୍ୟରେ ୨ ପ୍ରତିଶତ କମ ବର୍ଷା ହୋଇଛି। ତେବେ ରାଜ୍ୟର ୨ଟି ଜିଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ୨୮ଟି ଜିଲାରେ ସ୍ବାଭାବିକ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲାରେ ୨୧ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୨୫ ପ୍ରତିଶତ କମ ବର୍ଷା ହୋଇଛି।