ବୀମା ଟଙ୍କା ପାଇବାକୁ ଚୋରି ନାଟକ, ୟୁଟ୍ୟୁବ୍‌ରୁ ଶିଖିଥିଲେ କୌଶଳ, ଏମିତି ପଡ଼ିଲେ ଧରା…

ଭୁବନେଶ୍ୱର,୩୧ା୧୦(ସତ୍ୟଜିତ ରାଉତ): ବ୍ୟବସାୟରେ କ୍ଷତି ହେବାରୁ ଦେଇପାରୁ ନ ଥିଲେ ଦୋକାନ ଭଡ଼ା। ଋଣଭାର ଏତେ ବଢ଼ିଯାଇଥିଲା ଯେ, ଏହାକୁ ପରିଶୋଧ କରିବାକୁ ଚିନ୍ତାରେ ପଡ଼ିଥିଲେ। ଏସବୁ ସମସ୍ୟାରୁ ମୁକୁଳିବାକୁ ଯାଇ ବାଛିଥିଲେ ଅପରାଧର ବାଟ। ବୀମା ଟଙ୍କା ପାଇଁ ନିଜ ବ୍ୟବସାୟ ପ୍ରତିଷ୍ଠାନରୁ ଚୋରିର ନାଟକ ରଚିବାକୁ କରିଥିଲେ ବଡ଼ ଯୋଜନା। ତମାଣ୍ଡୋ ବଜାରସ୍ଥିତ ଏକ ପ୍ଲାଇଉଡ୍‌ ଦୋକାନରୁ ଚୋରି ହେବା ପୂର୍ବରୁ କମିଶନରେଟ୍‌ ପୋଲିସ ଏହାକୁ ଭଣ୍ଡୁର କରିଛି। ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନର ମାଲିକ, ତାଙ୍କ ବିଜନେସ୍‌ ପାର୍ଟନର ଓ ଚୋରିରେ ନିୟୋଜିତ ହେବାକୁ ଥିବା ୧୧ଜଣ ବ୍ୟକ୍ତିଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ତମାଣ୍ଡୋ ବଜାରସ୍ଥିତ ‘ଆଦ୍ୟାଶା ଟ୍ରେଡର୍ସ’ର ମାଲିକ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିର ସନ୍ତୋଷ କୁମାର ମହାରଣା (୪୩), ବ୍ୟବସାୟୀ ପାର୍ଟନର ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ମନୋଜ ସେଜପାଡ଼ା (୩୪)। ଅନ୍ୟ ୧୧ଜଣ ଅଭିଯୁକ୍ତ ହେଲେ ଖୁଣ୍ଟା ଥାନା ଅଞ୍ଚଳର ହରିହର ସଡୁଆଲ (୩୭), ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଅଞ୍ଚଳର ଏସ୍‌କେ ମାକ୍ସତ (୩୨), ଏସ୍‌କେ, ଅବଦୁଲ୍‌ ରେହମାନ (୩୩), ଏସ୍‌କେ ନାସିର୍‌ (୨୦), ହରେକୃଷ୍ଣ ନାୟକ (୫୩), ଶ୍ୟାମସୁନ୍ଦର ସିଂ (୨୪), ଏସ୍‌କେ ରାଜା (୨୦), ବରହମପୁର ଥାନା ଅଞ୍ଚଳର ବସନ୍ତ କୁମାର ସେନାପତି (୩୬), ସମୀର ଜେନା (୨୦), ବାଲେଶ୍ୱର ଟାଉନ ଥାନା ଅଞ୍ଚଳର ଏସ୍‌କେ ରାଜୁ (୨୨) ଓ ଜିସାନ୍‌ ଖାନ୍‌ (୨୫)। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ପିକଅପ୍‌ ଭ୍ୟାନ୍‌, ଦୁଇଟି ଟାଟା ଏସିଇ, ଗୋଟିଏ ବୋଲେରୋ, ଗୋଟିଏ ବୁଲେଟ୍‌, ୮ଟି ଫେସ୍‌ ମାସ୍କ, ଗୋଟିଏ ଆଇରନ କଟର୍‌ ମେଶିନ୍‌, ୨ଟି ପ୍ଲାସ୍‌, ୬ଟି ହ୍ୟାଣ୍ଡ ଗ୍ଲୋଭ୍‌ସ, ଗୋଟିଏ ସ୍କ୍ରୁଡାଇଭର, ଦୁଇଟି ଛୁରି, ମୋବାଇଲ ଆଦି ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଚୋରିରେ ନିୟୋଜିତ ଥିବା ୧୧ଜଣ ଅଭିଯୁକ୍ତଙ୍କ ପୂର୍ବ ଆପରାଧିକ ଇତିହାସ ବିଷୟରେ ଜାଣିବାକୁ ପ୍ରୟାସ ଚାଲିଥିବା ଖବରଦାତା ସମ୍ମିଳନୀରେ ଡିସିପି ଜଗମୋହନ ମୀନା କହିଛନ୍ତି।

Dharitri – Odisha’s No.1 Trusted Odia Daily

Share