ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ ନେତା, କର୍ମୀ

ଭୁବନେଶ୍ୱର,୫।୩(ବ୍ୟୁରୋ): ରବିବାର ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ହେବ। ଏ ନେଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ନବୀନ ଓଡ଼ିଶା ଗଢ଼ିବା ପାଇଁ ବିଜୁ ଜୟନ୍ତୀରେ ବିଜେଡି କର୍ମୀ ଶପଥ ନେବେ । ଦଳ ପକ୍ଷରୁ ମାର୍ଚ୍ଚ୫ରୁ ୨୫ ତାରିଖ ଯାଏ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡି କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ। ବିଜୁ ଯୁବ ଏବଂ ଛାତ୍ର ଜନତା ଦଳକୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି। ଏପ୍ରିଲ ୧୭ରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିସହିତ ମାର୍ଚ୍ଚ ୮ ରେ ଅନ୍ତର୍ଜାତୀୟ ମହିଳା ଦିବସ ରାଜ୍ୟସ୍ତରରେ ପାଳନ କରାଯିବ। ମାର୍ଚ୍ଚ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ ଆୟୋଜନ କରାଯିବ। ବିଜୁବାବୁଙ୍କ ଜନ୍ମ ଦିବସ ବିଭିନ୍ନ ସ୍ତରରେ କିପରି ପାଳନ କରାଗଲା ତାହାର ଏକ ବିଶଦ ବିବରଣୀ, ଫଟୋଗ୍ରାଫ୍‌ ଏବଂ ଭିଡିଓ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୨୮ରେ ଚିଠି ଲେଖି କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି।