ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ବିବାଦ ଦେଖାଦେଇଛି।
”ଦୀର୍ଘ ୨୩ ବର୍ଷ ହେଲା ମୋତେ ଟସ୍ ଓ ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନା ଲାଗି ସୁଯୋଗ ମିଳୁ ନାହିଁ। ନୂଆ ଚେହେରା ଆସି ପିଚ୍ ରିପୋର୍ଟ, ଟସ୍, ମ୍ୟାଚ୍ ଉପସ୍ଥାପନା କରୁଛନ୍ତି। ଏପରିକି ରବି ଶାସ୍ତ୍ରୀ ଭାରତୀୟ ଦଳର କୋଚ୍ ଥିବା ବେଳେ ମଧ୍ୟ ଯଦି ସୁଯୋଗ ନ ମିଳେ, ତେବେ ତାହାର କାରଣ କ’ଣ ହୋଇଥିବ“ ବୋଲି ଶିବରାମ କ୍ରିଷ୍ଣନ ଏକ୍ସ’ରେ ପୋଷ୍ଟ କରିଥିଲେ।
ଏହି ପୋଷ୍ଟରେ ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ହୁଏତ ତୁମର କୃଷ୍ଣକାୟ ରଙ୍ଗ ଏହାର କାରଣ ହୋଇଥାଇପାରେ। ଏହାର ଉତ୍ତରରେ ଶିବରାମ କ୍ରିଷ୍ଣନ ଲେଖିଥିଲେ, ତୁମେ ଠିକ କହିଛ। ରଙ୍ଗ ଭେଦଭାବ। ଏହି ପୋଷ୍ଟ ଭାଇରାଲ ହେବା ପରେ ବିସିସିଆଇ ପ୍ରଶାସକଙ୍କର ଏଥିରେ କୌଣସି ଭୂମିକା ନ ଥିବା ନେଇ ଶିବରାମ କ୍ରିଷ୍ଣନ ସ୍ପଷ୍ଟୀକରଣ ରଖିଛନ୍ତି।

