ପୁରୁଷୋତ୍ତମପୁର,୮ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ବରିଷ୍ଠ ଓକିଲ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା ଘଟଣାକୁ ପୁରୁଷୋତ୍ତମପୁର ଓକିଲ ସଂଘ ତୀବ୍ର ନିନ୍ଦା କରିଛି। ପୀତବାସ ପଣ୍ଡା ଅମର ରହେ ଧ୍ବନିରେ ପରୁଷୋତ୍ତମପୁର ସହର ପ୍ରକମ୍ପିତ ହୋଇଉଠିଛି। ସଭାପତି କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ପୌରୋହିତ୍ୟରେ ବୁଧବାର ଏକ ଶୋକସଭା ଅନୁଷ୍ଠିତ ହୋଇ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଏହାସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ କରିବା, ଘଟଣାର ନ୍ୟାୟିକ ତଦନ୍ତ କରିବା, ମୃତ ପଣ୍ଡାଙ୍କ ପରିବାରକୁ ସରକାର ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିବା ଓ ତୁରନ୍ତ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ଏହାସହ ଓକିଲମାନେ ପେନ୍ଡାଉନ୍ କରି ଏକ ଶୋଭାଯାତ୍ରାରେ ପୀତବାସ ପଣ୍ଡା ଅମର ରହେ ନାରା ଦେଇ ସହର ପରିକ୍ରମାକରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଏଥିରେ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ , ଉପସଭାପତି ଦୁର୍ଗାଚରଣ ଦାଶ, ସହ ସମ୍ପାଦକ କେ.ଶଶାଙ୍କ ଶେଖର ରାଓ, ବରିଷ୍ଠ ଓକିଲ ଅରୁଣ କୁମାର ପଣ୍ଡା,ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଉପେନ୍ଦ୍ର ପଣ୍ଡା, ଗୌରୀଶଙ୍କର ରାଉଳ, ସୀତାରାମ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାପାତ୍ର, ବାସୁଦେବ ଜେନା, ପ୍ରଭାତ କୁମାର ପଟ୍ଟନାୟକ, ଅମ୍ରେଶ ତ୍ରିପାଠୀ,ଅଶୋକ ମହାକୁଡ, ସଦାଶିବ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ରମାରଞ୍ଜନ ଦାଶ, ଅକ୍ଷୟ ବେହେରାଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।