ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି ଆକ୍ରମଣରେ ଲୋକେ ଗୁରୁତର ହେଉଛନ୍ତି। ବିଭିନ୍ନ ସମୟରେ ଆକ୍ରମଣ ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି। ଗତ କିଛିଦିନ ତଳେ ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ଭୁଜାଲି ଆକ୍ରମଣ ଯୋଗୁ ଜଣଙ୍କ ଜୀବନ ଚାଲି ଯାଇଥିଲା। ତେବେ ତାହା ଲୋକଙ୍କ ଆଖିରୁ ଲିଭି ନ ଥିବାବେଳେ ଶନିବାର ଦିନ ଦ୍ବିପ୍ରହରରେ ବରଗଡ଼ ସହର ଉପକଣ୍ଠ ୫୩ ନମ୍ବର ଜାତୀୟ ରାଜପଥର ଘୁଲିପାଲି ଛକରେ ଜଣେ ଟ୍ରକ୍ ଚାଳକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଛନ୍ତି। ଆହତ ଟ୍ରକ୍ ଚାଳକ ଜଣକ କଟକ ଜିଲାର ଏବଂ ସେ ବରଗଡ଼ର ଏକ ଅଟୋ ମୋବାଇଲ ଶୋରୁମକୁ ଆସୁଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଟଙ୍କା ଦାବି କରିଥିଲେ। ମାତ୍ର ତାହା ସେ ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ ବୋଲି ଟ୍ରକ ଚାଳକ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କରି ଟ୍ରକ ଚାଳକଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବରଗଡ଼ ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କଫ ସିରପ, ନିଶା ବଟିକା, ବ୍ରାଉନସୁଗାର ଭଳି ନିଶା କାରବାର ଯୋଗୁ ଏଭଳି ଅପରାଧ ବଢ଼ି ଚାଲିଥିବା ବରଗଡ଼ ସହରବାସୀ ଅଭିଯୋଗ କରିଛନ୍ତି। କିନ୍ତୁ ନିଶା କାରବାରକୁ ପୋଲିସ ସମ୍ପୂର୍ଣ୍ଣଭାବେ ଦମନ କରି ପାରି ନାହିଁ।