ନୂଆଦିଲ୍ଲୀ, ୨୦।୧୦: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ ପାଇଛି, ଯେଉଁଥିରେ ଭାରତୀୟ ଖେଳାଳିମାନେ ଦବଦବା ବଜାୟ ରଖିଛନ୍ତି। ଦ୍ରୁତ ବୋଲର ନନ୍ଦିନୀ ଶର୍ମା ରାଙ୍କିଙ୍ଗର ବଡ଼ ଧରଣର ଅଗ୍ରଗତି କରିଛନ୍ତି। ମହିଳା ଟି-୨୦ ବୋଲିଂ ରାଙ୍କିଙ୍ଗରେ ଭାରତର ଶ୍ରୀ ଚରଣୀ ନମ୍ବର-୧ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ସେହିପରି କ୍ରାନ୍ତି ଗୌଡ଼ ମଧ୍ୟ ବିଶ୍ୱର ଟପ-୫୦ ବୋଲରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଶ୍ରୀ ଚରଣୀ ପ୍ରଥମ ଏବଂ ଦୀପ୍ତି ଶର୍ମା ବୋଲରମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ କାଏମ ଅଛନ୍ତି।
ଅନ୍ୟପକ୍ଷରେ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ପରେ ମଧ୍ୟ ରାଙ୍କିଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏନାବେଲ ସଦରଲ୍ୟାଣ୍ଡ ଅଷ୍ଟମ ଏବଂ ଜେସ କେର୍ ଏବେ ୧୭ତମ ସ୍ଥାନକୁ ଆସିଛନ୍ତି। ନେନ୍ସି ପଟେଲ ଏବଂ ବ୍ରି ଇଲିଙ୍ଗ ମଧ୍ୟ ଟି-୨୦ ବୋଲିଂ ରାଙ୍କିଙ୍ଗରେ ଜବରଦସ୍ତ ଅଗ୍ରଗତି କରିଛନ୍ତି। ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାରେ ଅଷ୍ଟ୍ରେଲିଆର ବେଥ ମୁନି ନମ୍ବର-୧ ସ୍ଥାନରେ ଥିବାବେଳେ, ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନା ଟପ ଟି-୨୦ ବ୍ୟାଟ୍ସମ୍ୟାନ ଭାବରେ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।
ମିଡିୟମ ପେସ ବୋଲର ନନ୍ଦିନୀ ଶର୍ମା ଜିମ୍ବାୱେ ବିପକ୍ଷ ୨ଟି ମ୍ୟାଚରେ ୩ଟି ଉଇକେଟ୍ ଅକ୍ତିଆର କରିଥିବାବେଳେ ତାଙ୍କର ଇକୋନୋମି ରେଟ ମଧ୍ୟ ବେଶ ଚମତ୍କାର ରହିଛି। ଏହି ଦମଦାର୍ ପ୍ରଦର୍ଶନ ବଳରେ ନନ୍ଦିନୀ ଟି-୨୦ ବୋଲିଂ ରାଙ୍କିଙ୍ଗରେ ୨୬ଟି ସ୍ଥାନରୁ ୪୫ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ସ୍ପିନର୍ କ୍ରାନ୍ତି ଗୌଡ଼ ମଧ୍ୟ ୯ଟି ସ୍ଥାନ ଉପରକୁ ଉଠି ୪୩ତମ ସ୍ଥାନରେ କବଜା ଜମାଇଛନ୍ତି। ଟି-୨୦ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ଏକଚାଟିଆ ପ୍ରଭାବ ଜାରି ରହିଛି। ୮୧୧ ରେଟିଂ ସହିତ ଶ୍ରୀ ଚରଣୀ ନମ୍ବର-୧ ବୋଲିଂ ସ୍ଥାନରେ ଥିବାବେଳେ, ସେ ଅନ୍ୟ ବୋଲରଙ୍କଠାରୁ ବଡ଼ ବ୍ୟବଧାନରେ ଆଗରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ତାଙ୍କର ସହଯୋଗୀ ଦୀପ୍ତି ଶର୍ମା ଅଛନ୍ତି, ଯାହାଙ୍କ ରେଟିଂ ହେଉଛି ୭୪୮।
ବ୍ୟାଟିଂ ବିଷୟରେ କହିବାକୁ ଗଲେ, ଟପ-୧୦ ତାଲିକାରେ ଭାରତର ୩ ଜଣ ଖେଳାଳି ସାମିଲ ଅଛନ୍ତି। ଶେଫାଳୀ ବର୍ମା ଚତୁର୍ଥ, ସ୍ମୃତି ମନ୍ଧାନା ପଞ୍ଚମ ଏବଂ ପୂର୍ବତନ ଅଧିନାୟକ ହରମନପ୍ରୀତ କୌର ୧୦ତମ ସ୍ଥାନରେ ରହିଛନ୍ତି।

