ମୋରଡ଼ା/ରାସଗୋବିନ୍ଦପୁର,୨୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା): ଜନ୍ମମାଟିରେ ଶହୀଦ ଓଡ଼ିଆ ଯବାନଙ୍କୁ ଦିଆଯାଇଛି ଶେଷ ବିଦାୟ। ‘ଅମର ରହେ ଯବାନ ଲକ୍ଷ୍ମଣ’ ସ୍ବରରେ କମ୍ପିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଖୁଣ୍ଟାପାଳ ଗ୍ରାମ।
ସୂଚନାନୁଯାୟୀ, ଉକ୍ତ ଗ୍ରାମର ଲକ୍ଷ୍ମଣ ସୋରେନ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ(ସିଆଇଏସ୍ଏଫ୍)ରେ ଯୋଗଦାନ କରିଥିବା ବେଳେ ତାମିଲନାଡୁ ରାଜ୍ୟ ଚେନ୍ନାଇ ଏୟାରପୋର୍ଟରେ ହେଡ଼ କନଷ୍ଟେବଳ ଦାୟିତ୍ୱରେ ଥିଲେ। ଗତ ଫେବୃଆରୀ ୪ ତାରିଖରେ ଏୟାରପୋର୍ଟରେ ଲକ୍ଷ୍ମଣ କାର୍ଯ୍ୟରତ ଥିବା ବେଳେ ସକାଳୁ ଜଳଖିଆ ଖାଇବାକୁ କ୍ୟାଣ୍ଟିନକୁ ଯାଇଥିବା ସମୟରେ ଲକ୍ଷ୍ମଣ ବେହୋସ ହୋଇ ପଡ଼ିଥିଲେ। ଲକ୍ଷ୍ମଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କ ମସ୍ତିଷ୍କର ବାମ ପଟ ଭ୍ୟାନ୍ ଫାଟି ଯାଇଛି ବୋଲି ଜଣାପଡ଼ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ପକ୍ଷାଘାତ ରୋଗର ଶିକାର ହୋଇଥିଲେ। ତେବେ ଚିକିତ୍ସିତ ହେଉଥିବା ସମୟରେ ଗତ ଫେବୃଆରୀ ୨୪ ରାତିରେ ଲକ୍ଷ୍ମଣଙ୍କ ପ୍ରାଣହାନି ଘଟିଥିଲା। ତେବେ ଆଜି ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମଣଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୁମୁରି ଗୁମୁରି କାନ୍ଦୁଛି ଲକ୍ଷ୍ମଣଙ୍କ ଜନ୍ମ ମାଟି। ମରଶରୀର ବିଦାୟ ସମୟରେ ସିଆଇଏସଏଫ ଅଧିକାରୀ ରଞ୍ଜନ କୁମାର ସାହୁଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଲକ୍ଷ୍ମଣଙ୍କ ମରଶରୀରକୁ ଅଧିକାରୀମାନେ ସ୍ୟାଲୁଟ୍ କରିବା ସହିତ ତାଙ୍କ ବାପାଙ୍କୁ ଜାତୀୟ ପତାକା ପ୍ରଦାନ କରିଥିଲେ। ତେବେ ଅଧିକାରୀ ରଞ୍ଜନ କୁମାର ସାହୁ ଏଠାରେ ତିନି ଦିନ ରହି ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହିତ ଲକ୍ଷ୍ମଣଙ୍କ ପରିବାର କିପରି ସରକାରୀ ସହାୟତା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।