ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଏହି ପରୀକ୍ଷା ପାଇଁ ଓ୍ବେବ୍‌ସାଇଟ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଫର୍ମ ପଞ୍ଜୀକରଣ କରିବାର ଶେଷ ତାରିଖ ମେ ୭ ରହିଥିବା ବେଳେ ପରୀକ୍ଷା ନିମନ୍ତେ ଆବଶ୍ୟକ ଫି’ ଜମା କରିବାର ସମୟସୀମା ମେ ୮ ରହିଛି। ଯଦି ଫର୍ମ ପଞ୍ଜୀକରଣ କରିବା ସମୟରେ କୌଣସି ଭୁଲ ହୁଏ ତେବେ ସଂଶୋଧନ ପାଇଁ ମେ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ଓ୍ବେବ୍‌ସାଇଟ ଖୋଲା ରଖାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଆଡ୍‌ମିଟ୍‌ କାର୍ଡରେ ଉଲ୍ଲିଖିତ ଶିଫ୍ଟ ଉପରେ ଆଧାର କରି ୟୁଜିସି ନେଟ୍‌-୨୦୨୫ ପରୀକ୍ଷା ଜୁନ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ନିମନ୍ତେ ଏପର୍ଯ୍ୟନ୍ତ ଆଡମିଟ କାର୍ଡ ଏବଂ ସିଟି ସ୍ଲିପ ପାଇଁ ପ୍ରକାଶନ ତାରିଖ ଘୋଷଣା କରାଯାଇ ନାହିଁ। ଏହି ପରୀକ୍ଷା ଦେବା ଲାଗି ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ୧୧୫୦, ଜେନେରାଲ ଇଡବ୍ଲ୍ୟୁଏସ୍‌/ ଓବିସି-ଏନ୍‌ସିଏଲ୍‌ ବର୍ଗର ପ୍ରାର୍ଥୀଙ୍କୁ ୬୦୦ ଏବଂ ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟୁଡି ଏବଂ ତୃତୀୟ ଲିଙ୍ଗ ବର୍ଗର ପ୍ରାର୍ଥୀଙ୍କୁ ୩୨୫ ଟଙ୍କା ଦେବାକୁ ପଡ଼ିବ। ୟୁଜିସି ନେଟ୍‌ ପରୀକ୍ଷାରେ ୮୫ଟି ପାଠ୍ୟକ୍ରମ ରହିଥିବା ବେଳେ ଏହାକୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌ରେ କରାଯିବ। ଏହି ପରୀକ୍ଷା ୩ ଘଣ୍ଟା ହେବ। ଛାତ୍ରୀଛାତ୍ରମାନେ ପେପର ୧ ଏବଂ ପେପର ୨ରେ ପରୀକ୍ଷା ଦେବେ। ଏହି ପରୀକ୍ଷାରେ କୌଣସି ନେଗେଟିଭ ମାର୍କିଂ ନାହିଁ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।