ଲେଜର ଲାଇଟ୍ ବ୍ୟାନ୍: ଡିଜେ ଶବ୍ଦ ଉପରେ କଟକଣା ଲଗାଇଲେ ଓଡ଼ିଶା ହାଇକୋର୍ଟ

କଟକ,୧୨ା୨: ବଢ଼ୁଥିବା ଶବ୍ଦ ଓ ଆଲୋକ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଲେଜର ଲାଇଟ୍ ଏବଂ ବିକଟାଳ ଶବ୍ଦ କରୁଥିବା ଡିଜେ ବ୍ୟବହାର ଉପରେ ଗୁରୁତ୍ୱପୂର୍ଣ୍ଣ କଟକଣା ଲଗାଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କଟକ ସହରାଞ୍ଚଳରେ ଲେଜର ଲାଇଟ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର କରାଯାଇପାରିବ ନାହିଁ। ଡିଜେର ଶବ୍ଦ ସୀମା ସର୍ବାଧିକ ୬୫ ଡେସିବେଲ ମଧ୍ୟରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାତି ୧୦ଟା ପରେ କୌଣସି ପ୍ରକାରର ରୋଷଣୀ କିମ୍ବା ବାଦ୍ୟଯନ୍ତ୍ର ବଜାଇବା ଉପରେ କଟକଣା ଲଗାଯାଇଛି।

ଶୁଣାଣି ସମୟରେ କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ସହରରେ ଅତ୍ୟଧିକ ଲେଜର ଲାଇଟ୍ ଏବଂ ଉଚ୍ଚଶବ୍ଦ ବିଶିଷ୍ଟ ଡିଜେ ବ୍ୟବହାର ଯୋଗୁଁ ସବୁ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଛି। ବିଶେଷ କରି ଏହା ଶିଶୁ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି।

ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ, ଏହି ସମ୍ବନ୍ଧରେ ପୋଲିସ କି କି ପଦକ୍ଷେପ ଗ୍ରହଣ କରିଛି, ତାହାର ଏକ ବିସ୍ତୃତ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।