ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ସୋନପୁର ପଞ୍ଚାୟତର ଗାହାକିଆଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ହୋଇଛି। ଫଳରେ ସୋନପୁରଠାରୁ ବ୍ରାହିଟପଙ୍କା ଦେଇ ଗଦାପୁର ପଞ୍ଚାୟତ ସମେତ କୋଟଗଡ଼ ବ୍ଲକ ଶ୍ରୀରାମପୁର କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଫଳରେ ଉକ୍ତ ରାସ୍ତା କଡ଼ରେ ଥିବା ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ କିମ୍ବା ୩ ଚକିଆ ଓ ଭାରି ଯାନ ଯାତାୟାତ ବନ୍ଦ ହୋଇଛି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଖବର ପାଇ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ ସଞ୍ଜୟ କୁମାର ବେହେରା ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
ପ୍ରକାଶ ଥାଉ କି, ଉକ୍ତ ରାସ୍ତାରେ ଯାତ୍ରୀବାହୀ ବସ ଚଳାଚଳ ପୂର୍ବରୁ ମଧ୍ୟ ହେଉନାହିଁ। ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ କେବଳ ୩ ଚକିଆ ଓ ମିନି ଟ୍ରକ ଗୁଡିକ ଯାତାୟାତ କରୁଛି। ଆବଶ୍ୟକ ଜରୁରୀ ପରିସ୍ଥିତିରେ ଆମ୍ଭୁଲାନ୍ସ ଯାତାୟାତ କରୁଛି। ତେବେ ଅଧିକ ଗାଡି ମୋଟର ଯାତାୟାତ କରୁ ନ ଥିବାରୁ କୌଣସି ଅଘଟଣ ଘଟି ନ ଥିବା ଜଣାପଡିଛି। ଶୀଘ୍ର ରାସ୍ତାରୁ ବଡ଼ ବଡ଼ ପଥରକୁ ହଟାଯିବା ସହ ମରାମତି କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତି।