ସରକାରୀ ବିଦ୍ୟାଳୟରେ ତାଲା ପକାଇଲେ ଜମି ମାଲିକ: ବର୍ଷାରେ ଭିଜିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୨୭।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖାଯାଇଛି ଜମି ବିବାଦ। ଜଣେ ବ୍ୟକ୍ତିଗତ ଲୋକଙ୍କ ଜମିରେ ସରକାରୀ ବିଦ୍ୟାଳୟ ନିର୍ମାଣ କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା ଶନିବାର ଜମି ମାଲିକ ଉକ୍ତ ବିଦ୍ୟାଳୟକୁ ତାଲା ପକାଇଦେଇଛନ୍ତି।
ପ୍ରକାଶ ଯେ, ଉକ୍ତ ଗ୍ରାମର ସାନମାଳୀ ପ୍ରଧାନ ଗତ ୨୦୧୮ ମସିହାରେ ଜମି ଡିମାରକେସନ କରାଇବାବେଳେ ତାଙ୍କ ଜମିରେ ସରକାରୀ ବିଦ୍ୟାଳୟ ଖୋଲାଯାଇଥିବା ଜାଣିଥିଲେ। ସେ ଏନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ତେବେ କୋଭିଡ ଯୋଗୁ ଜମି ମାଲିକ ନୀରବ ରହିଥିଲେ। ପୁଣି ୨୦୨୨ଠାରୁ ସେ ତାଙ୍କ ଜମି ପାଇବା ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥା ହୋଇଥିଲେ ଓ ଗତବର୍ଷ ଅକ୍ଟୋବରରେ ସେ ତାଙ୍କ ଜମି ପାଇବା ପାଇଁ ସ୍ବତନ୍ତ୍ର କୋର୍ଟରୁ ନିର୍ଦ୍ଦେଶ ପାଇଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ପାଇ ନ ଥିଲେ। ଫଳରେ ଜମି ମାଲିକ ଶନିବାର ସକାଳ ୬ଟାରେ ପହଞ୍ଚିଥିଲେ। ବିଦ୍ୟାଳୟରୁ ଛାତ୍ରୀଛାତ୍ରଙ୍କୁ ବାହାରକୁ ବାହାର କରିବାକୁ କହିଥିଲେ। କୋର୍ଟର ନିର୍ଦ୍ଦେଶ ଦେଖି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକ ବିଦ୍ୟାଳୟ ଛାଡି ବାହାରକୁ ବାହାରିଥିଲେ ଓ ଜମି ମାଲିକ ଏହାକୁ ତାଲା ପକାଇଥିଲେ। ଖବର ଲେଖିବା ସୁଦ୍ଧା କୌଣସି ଅଧିକାରୀ କିସୁବାଡ଼ିରେ ପହଞ୍ଚି ନ ଥିବା ଜଣାପଡିଛି। ଛାତ୍ରୀଛାତ୍ରମାନଙ୍କୁ ବିଦ୍ୟାଳୟର ରୋଷେୟା ତାଙ୍କ ଘରକୁ ନେଇ ସେଠାରେ ପାଠ ପଡିବା ବ୍ୟବସ୍ଥା କରାଇଛନ୍ତି।

 

Dharitri – Odisha’s No.1, Most Trusted Odia Daily

 

Share