କୁଆଁରମୁଣ୍ଡା,୨୩।୭(ମହେନ୍ଦ୍ର କୁମାର ସାହୁ)- ବୀରମିତ୍ରପୁର ତହସିଲ ଅଫିସ ନିକଟରେ ଫୁଟିଲା ଗୁଳି। ବୁଧବାର ଏକ ବାଇକରେ ୨ଜଣ ଯୁବକ ଆସି ଜମି ବ୍ୟବସାୟୀ ଉତ୍ତମ କୁମାର ଘୋଷଙ୍କୁ ଗୁଳି ମାରିଥିଲେ। ପରେ ସେମାନେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଅଭିଯୁକ୍ତଦ୍ୱୟ ଉତ୍ତମଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ତାଙ୍କ କାର୍ରେ ବାଜି ଥିଲା। ତେବେ ସେ କାର ଭିତରେ ଥିବାରୁ ସାମାନ୍ୟ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବୀରମିତ୍ରପୁର ଆଇଆଇସି ରାମପ୍ରସାଦ ନାଗ ଓ ଏସ୍ଡିପିଓ ସୁଶାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛନ୍ତି। ଏହି ଘଟଣା ପରେ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଓ ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ରିପୋର୍ଟ ଲେଖାଯିବା କେହି ଦୁର୍ବୃତ୍ତ ଧରା ପଡ଼ିନାହାନ୍ତି। କାହିଁକି ଓ କେଉଁ କାରଣରୁ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜମି ବ୍ୟବସାୟ ଏହାର କାରଣ ବୋଲି ମଧ୍ୟ ଆଲୋଚନା ହେଉଛି।