ନୂଆପଡ଼ା,୧୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ ସରପଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ଫଳାଫଳ ଘୋଷଣା କରା ନ ଯାଇ ସ୍ଥଗିତ ରଖାଯାଇଛି। ସରପଞ୍ଚ ଉନ୍ନୟନ କାର୍ଯ୍ୟ ଟଙ୍କା ଆମତ୍ସାତ୍ ସହ ସେମାନଙ୍କୁ ଅଣଦେଖା କରୁଥିବା ନେଇ ୱାର୍ଡ ସଭ୍ୟାସଭ୍ୟ ଅଭିଯୋଗ କରି ତାଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ ନୂଆପଡ଼ା ଉପ ଜିଲାପାଳ ଯୋଗେନ୍ଦ୍ର ମାଝିଙ୍କୁ ଲିଖିତ ଭାବେ ଜଣାଇଥିଲେ। ଉପଜିଲାପାଳ ଏହାର ତଦନ୍ତ କରି ମାର୍ଚ୍ଚ ୧୧ରେ ଅନାସ୍ଥା ଭୋଟ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ତଦନୁଯାୟୀ କୋମନା ତହସିଲଦାର ପ୍ରୟାଶୀ ପ୍ରଧାନଙ୍କ ପରିଚାଳନାରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା। ଫଳାଫଳ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାଏବ ସରପଞ୍ଚ ପଦ୍ମିନୀ ସୁନାନୀଙ୍କ ସପକ୍ଷରେ ୧୧ ଭୋଟ ପଡିଥିବା ବେଳେ ସରପଞ୍ଚ ଜିତେନ୍ଦ୍ର ଠାକୁରଙ୍କ ସପକ୍ଷରେ ମାତ୍ର ଗୋଟିଏ ଭୋଟ ପଡିଥିଲା। ଏହାକୁ ନେଇ ସରପଞ୍ଚ ଠାକୁର ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଛନ୍ତି। ହାଇକୋର୍ଟରେ ତାଙ୍କ ଦ୍ୱାରା ଦାଖଲ ଏକ ରିଟ ପିଟିଶନ ବିଚାର ହୋଇ ପ୍ରଦତ୍ତ ଅନ୍ତରୀଣ ଆଦେଶର ନକଲ ଜିଲାପାଳଙ୍କ ନିକଟରେ ବିଚାର ପାଇଁ ଦାଖଲ କରିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଉପଜିଲାପାଳ, ଜିଲା ପଞ୍ଚାୟତ ଅଧିକାରୀ ଓ ତହସିଲଦାରଙ୍କୁ ଯୋଗାଯୋଗ ହୋଇ ପାରି ନ ଥିବାରୁ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ମିଳିପାରି ନାହିଁ।


