୨୨ରେ ଲଗ୍ନଧରା, ୨୬ରେ ବାହାଘର

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ଲୋକକଳା ଜଉକଣ୍ଢେଇ ବାହାଘର ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୋଳପୂର୍ଣ୍ଣିମାରେ ଜଉକଣ୍ଢେଇ ବରକନ୍ୟା ଜୟଦେବ ଓ ପଦ୍ମାବତୀ ନାମକରଣ କରାଯାଇ ଶ୍ରୀରାମ ନବମୀ ଅବସରରେ ବାମପଦାସ୍ଥ ନୋସି ଉତ୍କଳା ମୁକ୍ତମଞ୍ଚରେ ନିର୍ମାଣ ଶୁଭାରମ୍ଭ ହୋଇଛି। ଆସନ୍ତା ୨୨ରେ ଲଗ୍ନଧରା ଓ ୨୬ରେ ବାହାଘର ଅନୁଷ୍ଠିତ ହେବ। ୨୦୧୧ରୁ ବିଧିବଦ୍ଧ ଭାବେ ପାରମ୍ପରିକ ରୀତିରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଜଉକଣ୍ଢେଇ ବାହାଘର ଧୂମ୍‌ଧାମ୍‌ରେ ପାଳନ କରିଆସୁଛନ୍ତି। ଗତ କରୋନା କାଳରେ ମଧ୍ୟ ବିଧି ରକ୍ଷା କରାଯାଇ ପ୍ରତୀକାମତ୍କ ଭାବେ ଜଉକଣ୍ଢେଇ ବାହାଘର ପାଳନ କରାଯାଇଥିଲା। ଚଳିତବର୍ଷ ଏହାକୁ ମହାଆଡ଼ମ୍ବରରେ କରାଯିବା ଲାଗି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ଆବାହକ ଶିଳ୍ପୀ କେଶୁଦାସ କର୍ମକର୍ତ୍ତାଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ପୌରୋହିତ୍ୟ କରିଥିଲେ। ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସହସମ୍ପାଦକ ନିରଞ୍ଜନ ଗିରି ବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ତ୍ରିବେଣୀ ତୀର୍ଥରୁ ବିଧି ମୁତାବକ ପୂଜା କରି ପବିତ୍ର ମାଟି ଓ ପାଣି ଆଣି ଜଉକଣ୍ଢେଇ ନିର୍ମାଣ ପାଇଁ ପ୍ରଦାନ କରିଥିଲେ। ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ଓ ମାୟା ନାୟକ ପବିତ୍ର ମାଟି ଓ ପାଣି ନେଇ ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ କରିଥିଲେ।