ସହରରେ ଖେଳପଡ଼ିଆ ଅଭାବ

ବାଲେଶ୍ୱର ଅଫିସ,୧।୧୧: ବାଲେଶ୍ୱର ସହରରେ ଖେଳ ପଡ଼ିଆର ଅଭାବ ଯୋଗୁ ସହର ଉପକଣ୍ଠ ଗ୍ରାମାଞ୍ଚଳ ପଡ଼ିଆରେ ଅଭ୍ୟାସରତ ଖେଳାଳି ଏବଂ ସେମାନଙ୍କ ସହିତ ପ୍ରଶିକ୍ଷକମାନଙ୍କୁ ଦେଖିବାକୁ ମିଳୁଛି। ସଦର ବ୍ଲକ ଶାସଙ୍ଗ ପଞ୍ଚାୟତରେ ଥିବା କଣ୍ଟାବଣିଆ ପଡ଼ିଆରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପିଲା (ଝିଅ ଓ ପୁଅ) ଏକତ୍ରିତ ହୋଇ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳୁଛି। ସହରର ମୁଖ୍ୟ ଖେଳପଡ଼ିଆ ଭାବେ ପରମିଟ୍‌ ପଡ଼ିଆକୁ ଜିଲା କ୍ରୀଡ଼ା ସଂଘ ବ୍ୟବହାର କରୁଥିବା ବେଳେ ପୋଲିସ ଲାଇନ୍‌ ପଡ଼ିଆ ଜିଲା ପୋଲିସ ତତ୍ତ୍ୱାବଧାନରେ ରହିଛି। ଜିଲା ସ୍କୁଲ ସମ୍ମୁଖରେ ଥିବା ପୁରୁଣା ଷ୍ଟାଡ଼ିୟମ୍‌ ଅବହେଳିତ ହୋଇ ପଡ଼ିଥିବାରୁ ତାହା ଖେଳିବା ପାଇଁ ଉପଯୋଗୀ ହୋଇପାରୁନାହଁି। ସେହିପରି ଆଇଟିଆଇ ପଡ଼ିଆରେ ବିଭିନ୍ନ ମେଳା, ମହୋତ୍ସବ ସାଙ୍ଗକୁ ରାଜନୈତିକ ସଭା ଆଦି କାର୍ଯ୍ୟକ୍ରମ ହେଉଥିବା ବେଳେ ମିଶନ୍‌ ପଡ଼ିଆଟି ଜିଲା କ୍ରୀଡ଼ା ବିଭାଗ ଅଧୀନରେ ରହିଛି। ଏପରିକି ଉକ୍ତ ପଡ଼ିଆରେ ଶତାଧିକ ଖେଳାଳି ଅଭ୍ୟାସ କରିଥାନ୍ତି। ସହର ନିକଟସ୍ଥ ଚାନ୍ଦମାରିପଡ଼ିଆ, ଶୋଭାରାମପୁର ପଡ଼ିଆର ରକ୍ଷଣାବେକ୍ଷଣ ଅଭାବ ଏବଂ ସ୍ଥାନୀୟ ପିଲାମାନଙ୍କ ଖେଳକୁଦ ଯୋଗୁ ବହୁ ଖେଳାଳି ଅଭ୍ୟାସ କରିବାରୁ ବଞ୍ଚତ୍ତ ହେଉଛନ୍ତି।
ବାଲେଶ୍ୱର କ୍ରିକେଟ ଆସୋସିଏସନ୍‌ରେ ନାମ ଲେଖାଇଥିବା ପିଲାମାନେ ସେମାନଙ୍କ ପ୍ରଶିକ୍ଷକ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ସହରଠାରୁ ପ୍ରାୟ ୧୫କି.ମି. ଦୂର କଣ୍ଟାବଣିଆ ପଡ଼ିଆରେ ଅଭ୍ୟାସ କରୁଛନ୍ତି। ସହରରେ ଥିବା ପଡ଼ିଆଗୁଡ଼ିକରେ ଏକାଧିକ ପ୍ରଶିକ୍ଷଣ ସଂସ୍ଥାର ଅଧିକ ପିଲା ଅଭ୍ୟାସ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବାରୁ ଗ୍ରାମାଞ୍ଚଳ ପଡ଼ିଆ ଉତ୍ତମ ବୋଲି ପ୍ରଶିକ୍ଷକ ଦାସ କହିଛନ୍ତି।