ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି ୨୪ ଘଣ୍ଟା ଖୋଲା ରହିବ ଦୋକାନ

ଭୁବନେଶ୍ୱର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ଫ୍ୟାକ୍ଟ୍ରୀ ଆଇନ, ୧୯୪୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହି ସଂଶୋଧନ ଅନୁଯାୟୀ, ୨୦ ବା ତତୋଧିକ କର୍ମଚାରୀ ଥିବା ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ବର୍ଷର ୩୬୫ ଦିନ ୨୪ ଘଣ୍ଟା ଖୋଲା ରହିପାରିବ। ଦୈନିକ କାମ ସମୟ ୯ରୁ ୧୦ ଘଣ୍ଟାକୁ ଏବଂ ତ୍ରୈମାସିକ ଓଭରଟାଇମ୍‌ ସୀମା ୫୦ରୁ ୧୪୪ ଘଣ୍ଟାକୁ ବୃଦ୍ଧି ହୋଇଛି। କର୍ମଚାରୀମାନେ ୬ ଘଣ୍ଟା ନିରବଚ୍ଛିନ୍ନ କାମ କରିପାରିବେ, ବିଶ୍ରାମ ବିନା। ୧୦ ଘଣ୍ଟା ବା ସାପ୍ତାହିକ ୪୮ ଘଣ୍ଟାରୁ ଅଧିକ କାମ ପାଇଁ ଦ୍ୱିଗୁଣ ମଜୁରୀ ମିଳିବ।

ମହିଳା କର୍ମଚାରୀମାନେ ଲିଖିତ ସମ୍ମତି ଓ ରାଜ୍ୟ ସରକାରଙ୍କ ସୁରକ୍ଷା ସର୍ତ୍ତ ସହିତ ସକାଳ ୬ଟା ପୂର୍ବରୁ ଓ ରାତି ୭ଟା ପରେ କାମ କରିପାରିବେ। ଦୋକାନଗୁଡ଼ିକୁ ଓଡ଼ିଆରେ ସାଇନ୍‌ବୋର୍ଡ ଲଗାଇବା ବାଧ୍ୟତାମୂଳକ। ଫ୍ୟାକ୍ଟ୍ରୀଗୁଡ଼ିକରେ ଦୈନିକ କାମ ସମୟ ୮ରୁ ୧୦ ଘଣ୍ଟାକୁ ବୃଦ୍ଧି ହୋଇଛି, ସାପ୍ତାହିକ ସୀମା ୪୮ ଘଣ୍ଟା। ବିଶେଷ ମାମଲାରେ ୧୨ ଘଣ୍ଟା କାମ ଓ ୧୩ ଘଣ୍ଟା ସ୍ପ୍ରେଡ୍‌-ଓଭର ଏବଂ ସାପ୍ତାହିକ ୬୦ ଘଣ୍ଟା ଓଭରଟାଇମ୍‌ ଅନୁମୋଦିତ। ଓଭରଟାଇମ୍‌ ପାଇଁ ଦୁଇଗୁଣା ମଜୁରୀ ମିଳିବ।

ସରକାରୀ ବୟାନ ଅନୁଯାୟୀ, ଏହି ସଂସ୍କାର ଛୋଟ ବ୍ୟବସାୟର ଅନୁପାଳନ ଭାର ହ୍ରାସ କରିବ, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ, ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ, କର୍ମଚାରୀଙ୍କ ଆୟ ବୃଦ୍ଧି କରିବ ଏବଂ ମହିଳାଙ୍କ ପାଇଁ ସଂଗଠିତ କ୍ଷେତ୍ରରେ ଅଧିକ କାମର ସୁଯୋଗ ସୃଷ୍ଟି କରିବ। ଏହା ରାଜ୍ୟରେ ନୂତନ ବିନିଯୋଗ ଆକର୍ଷଣ କରି ଶିଳ୍ପାୟନକୁ ତ୍ୱରାନ୍ୱିତ କରିବ।