ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା ରଂଜିତା ମାଝି (୨୬), ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ, ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବେ ଏକକାଳୀନ ତିନିଟି ସନ୍ତାନ (ପୁତ୍ର) ପ୍ରସବ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ରବିବାର ରଂଜିତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କ ସ୍ୱାମୀ କଂସ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ବେଳେ ପ୍ରସବ ହୋଇଥିଲା। ଡାକ୍ତର ସୁନା ତୁରନ୍ତ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଜଣାଇଥିଲେ। ଡାକ୍ତର କର ଫୋନ ଯୋଗେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେଇ ତାଙ୍କ ତତ୍ତ୍ୱାବଧାନରେ ତିନିଟି ସନ୍ତାନଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇବାରେ ସଫଳ ହୋଇଥିଲେ।
ବେଲଘର ପରି ଏକ ଦୁର୍ଗମ କୁଟିଆକନ୍ଧ ଅଞ୍ଚଳରେ ଡାକ୍ତର ସୁନା ଓ କରଙ୍କ ଉଦ୍ୟମ ଯୋଗୁଁ ମା ରଂଜିତା ଏବଂ ତିନି ନବଜାତ ଶିଶୁ ସୁସ୍ଥ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ରଂଜିତା ଓ ତାଙ୍କ ତିନି ଶିଶୁଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସ୍ୱତନ୍ତ୍ର ନବଜାତ ଶିଶୁ କେନ୍ଦ୍ରରେ ମା ଓ ତିନି ଶିଶୁଙ୍କୁ ରଖାଯାଇଛି।
ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରବଣ କୁମାର ସାହୁକାର କହିଛନ୍ତି ଯେ ମା ରଂଜିତା ଓ ତିନି ଶିଶୁ ପୁତ୍ର ସୁସ୍ଥ ଅଛନ୍ତି। ଏହା ରଂଜିତାଙ୍କର ଚତୁର୍ଥ ପ୍ରସବ ହୋଇଥିବା ବେଳେ ତାଙ୍କର ପୂର୍ବରୁ ଜଣେ ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି। ତିନି ନବଜାତ ପୁତ୍ରଙ୍କୁ ପାଇ ରଂଜିତାଙ୍କ ସ୍ୱାମୀ କଂସ ମାଝି ଖୁସି ବ୍ୟକ୍ତ କରିଛନ୍ତି।
ଏହି ଘଟଣା ବେଲଘର ଅଞ୍ଚଳରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।