ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ ହୋଇଯାଇଛି । ବିଭିନ୍ନ ଦିବସର ୬ଟି ଅଧିବେଶନରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ କର୍ମକର୍ତ୍ତା ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେଇଥିଲେ। ରବିବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗ ଗୁଡ଼ିକର ସମାଧାନ କରାଯାଇଥିଲା । ଏହାପରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପ୍ରତିନିଧି ଏବଂ ବରିଷ୍ଠ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ଏହି ଅବସରରେ ମହାଧିବେଶନ ମୁଖ୍ୟ ଆୟୋଜକ ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବିଭିନ୍ନ ଅଞ୍ଚଳ ପକ୍ଷରୁ କାର୍ଯ୍ୟକ୍ରମର ସଫଳତା ନେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ତାଙ୍କ ଭାଷଣରେ କହିଥିଲେ ଯେ ଜାତିର ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇବେ। ରାଜଧାନୀ ଭୁବନେଶ୍ବରରେ ସର୍ଦ୍ଧାର ବଲ୍ଲଭ ପଟେଲଙ୍କ ନାମରେ ପଟେଲ ଭବନ ଏବଂ କୁର୍ମୀ ଭବନ ନିର୍ମାଣ ହେବ। ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ସହଯୋଗ ଯୋଗାଇଦେବି। ଏଥିସହ ସରକାର ମଧ୍ଯ ସହଯୋଗ କରିବେ। ଏତେବଡ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ବିଧାୟକ ଧନ୍ୟବାଦ୍ ଜଣାଇଥିଲେ ।

ସଭାକୁ ଶେରଗଡ଼ ବ୍ଲକ ଅଧ୍ୟକ୍ଷ ସଂଯୋଜନା କରିଥିଲେ। ଆଜିର ଅଧିବେଶନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ରାଷ୍ଟ୍ରୀୟ ପ୍ରଚାର ସଚିବ ନେତାଜୀ ବିଷୋୟୀ, ରାଷ୍ଟ୍ରୀୟ ପ୍ରଚାର ପ୍ରସାର ମନ୍ତ୍ରୀ ପଠାଣି ଭଞ୍ଜ, ରାଷ୍ଟ୍ରୀୟ ସଦସ୍ୟ ଗଙ୍ଗାଧର ନାୟକ, ପ୍ରଦେଶ ସଭାପତି ସୂର୍ଯ୍ୟନାରାୟଣ ପ୍ରଧାନ, ଉପସଭାପତି କଂଗ୍ରେସ ପ୍ରଧାନ, ସମ୍ପାଦକ ବିଶ୍ବନାଥ ରାଉତ ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବିପିନଚନ୍ଦ୍ର ନାୟକ, ଅଭ୍ୟର୍ଥନା ସମିତି ସଭାପତି ଶ୍ରୀନିବାସ ପ୍ରଧାନ, ଅଭ୍ୟର୍ଥନା ସମିତି ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରଦେଶ ଯୁବ ସଭାପତି ଆଲୋକ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବାରୁଡ଼ା ଅଞ୍ଚଳ କର୍ମକର୍ତ୍ତା ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Share