ମରିବୁ ପଛେ ଛାଡ଼ିବୁ ନାହିଁ କହିଲେ କୁନ୍‌ମୁନ୍‌ଙ୍କ ପରିବାର

ଗଞ୍ଜାମ,୨୦ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୩ ଗୌଡ଼ ସାହିରେ କୁନ୍‌ମୁନ୍‌ଙ୍କ ପରିବାର ଦୀର୍ଘବର୍ଷ ହେବ ରହି ଆସୁଛନ୍ତି। କୁନ୍‌ମୁନ୍‌ଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଏକ ମାତ୍ର ଝିଅ। ବିଭିନ୍ନ ଗାଁ ବୁଲି ମୁଲିଆ ଭାବେ ଘର କଲର ଲଗା କାମ କରନ୍ତି କୁନ୍‌ମୁନ୍‌। ଘରେ ଏକ ମାତ୍ର ବଢିଲା ଝିଅ। ନିଜର କିଛି ଜମିଜମା କିମ୍ବା ଘର ଦ୍ୱାର ନ ଥିବାରୁ ଗୌଡ଼ ସାହି ପୋଖରୀ ପାର୍ଶ୍ୱରେ ଝାଟିମାଟି କାନ୍ଥ ସହ ତମ୍ବୁ ଟାଣି ରହୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା କୁନ୍‌ମୁନ୍‌ ଓ ତାଙ୍କ ପରିବାର ପାଇଁ ସାତସପନ l ଏଭଳି ପରିସ୍ଥିତିରେ ସେଠାରୁ ହଟିବା ତଥା ଜବରଦଖଲ ଉଚ୍ଛେଦ ନିମନ୍ତେ ଗତ ୯େରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୁନ୍‌ମୁନ୍‌ଙ୍କୁ ନୋଟିସ୍‌ ଜାରି କରାଯାଇଥିବା ଜଣାପଡ଼ିଛି। ନୋଟିସ୍‌ ପାଇବାର ୩ ଦିନ ମଧ୍ୟରେ ଘର ଖାଲି ନ କଲେ ମ୍ୟୁନିସିପାଲିଟି ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଉକ୍ତ ତିନି ନଂ ଓ୍ବାର୍ଡର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବନ୍ଧ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ନୋଟିସ୍‌ ପାଇବା ପରେ ଚିନ୍ତାରେ କୁନ୍‌ମୁନ୍‌ଙ୍କ ପରିବାର। ଶୀତ ଦିନେ ସ୍ତ୍ରୀ ପିଲାଙ୍କୁ ନେଇ କୁଆଡ଼େ ଯିବେ କେଉଁଠି ରହିବେ ସେଥିପାଇଁ ନୋଟିସ୍‌ ପାଇବା ଦିନଠୁ ନିଦ ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି କୁନ୍‌ମୁନ୍‌ ଓ ତାଙ୍କ ସ୍ତ୍ରୀ। ଆମକୁ ଥଇଥାନ କରାଯିବ ବୋଲି ଏନ୍‌ଏସି ପ୍ରଶାସନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଥଇଥାନ ନ କରି ଚିଠି ମାଧ୍ୟମରେ ଉଠିବାକୁ କୁହାଯାଇଛି। ମରିବୁ ପଛେ ସ୍ଥାନ ଛାଡ଼ିବୁ ନାହିଁ ବୋଲି କୁନ୍‌ମୁନ୍‌ ଗଣମାଧ୍ୟମକୁ କହିଛନ୍ତି।

Dharitri – Odisha’s No.1 Trusted Odia Daily