ଖଡ଼ିଆଳ,୨୮ା୨ (ସୁଜିତ କୁମାର ପ୍ରଧାନ): ସୂଚନା କର୍ମୀ ରୂପେ ପରିଚିତ ନୂଆପଡ଼ା ଜିଲା ଖଡିଆଳ ବ୍ଲକ କୁସମାଲ ଗ୍ରାମର କ୍ଷୀରସିନ୍ଧୁ ସଗରିଆ ସି. ସୁବ୍ରମନ୍ୟମ୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ନ୍ୟାଶନାଲ ଫାଉଣ୍ଡେଶନ ଅଫ ଇଣ୍ଡିଆ ପକ୍ଷରୁ ତାଙ୍କୁ ପ୍ରୋତ୍ସାହନ ସ୍ବରୂପ ନଗଦ ଏକଲକ୍ଷ ଟଙ୍କା ଆର୍ଥିକ ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ସୂଚନା ଅଧିକାର ଆଇନ କ୍ଷୀରସିନ୍ଧୁଙ୍କ ପାଇଁ ଆୟୁଧ ପାଲଟିଥିଲା। ଶ୍ରମିକଙ୍କ ଅଧିକାର ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ। ଦୀର୍ଘ ୧୫ ବର୍ଷ ହେବ ସେ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବାଲ୍ୟ ବିବାହ ରୋକିବା, ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶିଶୁ ସୁରକ୍ଷା ୟୁନିଟ୍ରେ ଭର୍ତ୍ତି କରିବା, ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ମାଲିକାନା ପ୍ରଦାନ ଭଳି କାର୍ଯ୍ୟକରି ସେ ଲୋକଙ୍କ ନିକଟତର ହୋଇଥିଲେ। ଏହସବୁ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଆଗକୁ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବ ବୋଲି ସେ ପ୍ରକାଶ କରିଥିଲେ।