Categories: ପୁରୀ

ବର୍ଷା ପବନରେ କୃଷ୍ଣପ୍ରସାଦ ବେହାଲ: ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି, ଚିଲିକାରେ ବୁଡ଼ି ଜଣେ ମୃତ

‎କୃଷ୍ଣପ୍ରସାଦ,୨୪।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ):‎ ପୁରୀ ଜିଲା କୃଷ୍ଣପ୍ରସାଦରେ ତାଣ୍ଡବ ରଚିଛି ଗଭୀର ଅବପାତ । ଏହାର ପ୍ରଭାବରେ ପ୍ରବଳ ତୋଫାନ ସାଙ୍ଗକୁ ଲଗାତର ବର୍ଷା ଅନେକ କ୍ଷୟକ୍ଷତି କରିଛି । ମାଛ ଧରିବାକୁ ଯାଇଥିବା ଅଁଳାକୁଦା ଗ୍ରାମର ମୂଳିରାମ ପରିଡା ଚିଲିକା ପାଣିରେ ବୁଡ଼ିଯିବାରୁ ଜୀବନ ଯାଇଛି । ସେହିପରି ମାଲୁଦ ଚିଲିକା ନୂଆସାହିରେ ଏକ ବିରାଟ ଗଛ ଘର ଉପରେ ପଡି ବିଜୟକୁମାର ସେଠୀ ଏବଂ ପଞ୍ଚାନନ ସେଠୀଙ୍କ ଘର ଭାଙ୍ଗିଯାଇଛି । ବିଜୟକୁମାର ସେଠୀଙ୍କ ଘରେ ଗୋଟିଏ ବରଗଛ ଏବଂ ନଡ଼ିଆ ଗଛ ପଡି ଆଜବେଷ୍ଟସ ଭାଙ୍ଗି ଘରେ ନଡ଼ିଆ ପଡିଛି । ଅଳ୍ପକେ ଖଟରେ ଶୋଇଥିବା ସ୍ୱାମୀ ସ୍ତ୍ରୀ ବଞ୍ଚିଯାଇଛନ୍ତି ।

ଦୁଇ ଦିନ ହେବ ବର୍ଷା ପବନ ଲାଗତର ଚାଲିଛି। ବର୍ଷା ପାଣିରେ କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗାଁ ଦlଣ୍ଡରେ ପାଣି ଭର୍ତ୍ତି ହୋଇ ଘରେ ପାଣି ପଶି ଯାଇଛି। ଖବର ପାଇ ମାଲୁଦ ଦମକଳ ବାହିନୀ ପହଞ୍ଚି ମଟର ଦ୍ୱାରା ପାଣି ନିଷ୍କାସନ କରୁଛନ୍ତି । ଗିଲିନାସି ପାଣି ସମ୍ପୂର୍ଣ ନିଷ୍କାସନ ପରେ ମାଲୁଦ ଚିଲିକା ନୂଆସାହିର ଘରେ ପଡ଼ିଥିବା ଗଛକୁ କାଟି ବାହାର କରିବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ଶ୍ରୀରାମପୁର ଚିଲିକାରେ ପାଣି ବଢ଼ି ହୋଇ ବିଦ୍ୟାଳୟ ଗୃହରେ ପାଣି ଲହଡ଼ି ମାରୁଥିବା ଜଣାଯାଇଛି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବା ଯୋଗୁଁ ମାଲୁଦ କରଣ ସାହି ଯିବା ରାସ୍ତା ଏବଂ ମାଲୁଦ ପ୍ରାଥମିକ ବିଦ୍ୟାଳୟ ରାସ୍ତାରେ ପାଣି ଲହଡି ମାରୁଛି ।

 

Dharitri – Odisha’s No.1 Odia Daily

Share