ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ

କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର ମାଷ୍ଟର ମାଇଣ୍ଡ ଦୈତାରୀ ଖେମୁଣ୍ଡୁ ନାମକ ଜଣେ ସିଭିଲ ଇଞ୍ଜିନିୟରକୁ କୋରାପୁଟ ଜିଆର୍‌ପି ପୋଲିସ ଗିରଫ କରିଥିବା କୋରାପୁଟ ଜିଆରପି   ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ପ୍ରକାଶ କରିଛନ୍ତି।
ସୂଚନା ଥାଉ କି, ବିଗତ ଦିନରେ କୋରାପୁଟ ଜିଆର୍‌ପି ପୋଲିସ ଦୁଇ ଯୋଗାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳ ଗତ ଏପ୍ରିଲ ମାସରେ ବିହାରକୁ ଗଞ୍ଜେଇ ଚାଲାଣ ସମୟରେ ଅରବିନ୍ଦ କୁମାର ଶର୍ମା ନାମକ ଯୁବକକୁ ୩୪ କିଲୋ ଗଞ୍ଜେଇ ସହ ଗିରଫ କରା ଯାଇଥିଲା। ଗିରଫ ଅଭିଯୁକ୍ତକୁ ଜେରା ସମୟରେ ମିଳିଥିବା ତଥ୍ୟ ଅନୁସାରେ କୋରାପୁଟ ରେଲୱେ ଷ୍ଟେସନ ନିକଟରେ ଥିବା ଦୈତାରୀ ଖେମୁଣ୍ଡୁକୁ ଗିରଫ କରାଯାଇଛି। ଗତ ଦୁଇ ବର୍ଷ ହେବ ଏହିଭଳି ରେଲୱେ ଷ୍ଟେଶନ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗଞ୍ଜେଇ ଯୋଗାଉଥିବା ପୋଲିସ ନିକଟରେ ସିକାର କରିଥିବା ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଦୈତାରୀ ଖେମୁଣ୍ଡୁ ଜଣେ ବିଟେକ ସିଭିଲ ପାସ ଆଉଟ ଛାତ୍ର । ତାଙ୍କ ଘର କୋରାପୁଟ ବ୍ଳକ ପିତେଇ ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି। ସେ ରେଲୱେ ନିକଟ ସରକାରୀ ଜମିରେ ଜବରଦଖଲ କରି ଘର ନିର୍ମାଣ କରି ରହି ଆସୁଥିଲେ। କୋରାପୁଟ ମଣ୍ଡଳ କାରାଗାରରେ ରାଜ୍ୟ ବାହାରୁ ଗଞ୍ଜେଇ ଚୋରାଚାଲାଣରେ କଏଦ ଥିବା ମାଫିଆ ସହ ଯୋଗାଯୋଗ କରି ବ୍ୟବସାୟ କରୁଥିଲେ। ରେଲୱେ ଷ୍ଟେଶନ ପଛପଟେ କ୍ୟାମେରା ନ ଥିବା ସୂଯୋଗରେ ଚାଲାଣକାରୀମାନଙ୍କୁ ଗଞ୍ଜେଇ ଯୋଗାଉଥିବା ତଦନ୍ତରୁ ଜଣାପଡିଥିବା ଶ୍ରୀମତୀ ମହନ୍ତ କହିଛନ୍ତି। କୋରାପୁଟରେ ତିନି ସାଙ୍ଗ ଏକାଠି ଗଞ୍ଜେଇ ବ୍ୟବସାୟ କରୁଥିବା ବେଳେ ପୂର୍ବରୁ ଦୁଇ ଜଣ ଗିରଫ ହୋଇ କୋରାପୁଟ ଜେଲରେ ଅଛନ୍ତି। ଜିଆରପି ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ଅଧିକ ତଦନ୍ତ କରାଯାଉଛି ଏହି ଗ୍ୟାଙ୍ଗରେ ଅନ୍ୟ କେହି ସମ୍ପୃକ୍ତ ଥିଲେ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

Share