ବେଆଇନ ବନ୍ଧୁକ କାରଖାନା ଠାବ, ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କୋଲକାତା ପୋଲିସ

କଟକ ସଦର,୧୩ା୩(ସୁଶାନ୍ତ କୁମାର ଜେନା): କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍‌ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଗୁରୁବାର ଭୋର୍‌ରୁ କୋଲକାତା ଓ ଭୁବନେଶ୍ବର ଏସ୍‌ଟିଏଫ, ୪୨ ମୌଜା ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢାଉ ବେଳେ କାରଖାନାରେ ଥିବା ୩୦ଟି ମୌଜାର,ବନ୍ଧୁକ ତିଆରି ସରଞ୍ଜାମ ଓ ଲେଦ ମେଶିନ ଜବତ କରାଯାଇଥିଲା। ଏହି ବେଆଇନ ବନ୍ଧୁକ ନିର୍ମାଣ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଉଠାଇ ନେଇଛି। ଏହି ଅଭିଯୁକ୍ତମାନେ ହେଲେ ବନ୍ଧୁକ କାରଖାନାର ଘର ମାଲିକ ତଥା ଧୂଳିଶ୍ୱର ଗ୍ରାମର ଶରତ ବେହେରା(୫୮), ବିହାର ମୁଙ୍ଗେରର ସମଶେର ଆଲମ( ଓ ମହମ୍ମଦ ଆବିଦ ହୁସେନ,ପଶ୍ଚିମ ବଙ୍ଗର ମହମ୍ମଦ ଆଜମ। ଏନେଇ ପଶ୍ଚିମବଙ୍ଗ ପୋଲିସ ମାମଲା ରୁଜ୍ଜୁ କରି ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ୨୦୨୪ରୁ ଏହି ତିନି ସନ୍ଦିଗ୍ଧ ଶରତଙ୍କ ଘରେ ଭଡ଼ାସୂତ୍ରରେ ରହିଥିଲେ। ସିଡୁଆ ନଦୀ ବନ୍ଧ ବାଟେ ଲେଦ ମେଶିନ ଓ ଅନ୍ୟ ଯନ୍ତ୍ରପାତି ବାହାରୁ ଆସି ମାଉଜର ଓ ଦେଶୀ ବନ୍ଧୁକ ତିଆରି କରାଯାଉଥିଲା। ପରେ ଏହାକୁ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟକୁ ରାତି ଅଧରେ ଚାଲାଣ କରାଯାଉଥିଲା ବୋଲି ୩ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ଗୃହ ମାଲିକ ଶରତ ଗିରଫ ହେବା ପୂର୍ବରୁ ନିଜ ପ୍ରତିକ୍ରିୟାରେ ୨୦୨୪ ଜାନୁଆରୀ ମାସରୁ ତିନି ବ୍ୟକ୍ତି ଭଡ଼ା ସୂତ୍ରରେ ଘର ନେଇଥିଲେ। ମାତ୍ର ସେମାନଙ୍କ ପରିଚୟପତ୍ର ଘରୁ ଆଣି ଦେବେ ବୋଲି କହି ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି ବୋଲି କହିଥିଲେ। ଏହାଛଡ଼ା ବନ୍ଧୁକ କାରଖାନା ସମ୍ପର୍କରେ କିଛି ଜାଣି ପାରି ନ ଥିଲେ ବୋଲି କହିଥିଲେ। ହେଲେ ଏହାକୁ ପୋଲିସ ସହଜରେ ଗ୍ରହଣ କରି ପାରି ନାହିଁ। କାରଣ ଏକ ବଡ଼ ଘରେ ବିଭିନ୍ନ ଯନ୍ତ୍ରାଂଶ ରଖାଯାଇ ବନ୍ଧୁକ ନିର୍ମାଣ କରାଯାଉଥିଲେ ସୁଦ୍ଧା ମାଲିକ ଜାଣି ନ ପାରିବା ବିବୃତ୍ତିକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବନ୍ଧୁକ କାରଖାନାର ବାଟ କିଆ ବୁଦା ଓ ଆମ୍ବଗଛ ଭିତରେ ସିଡୁଆ ନଦୀବନ୍ଧକୁ ଖୋଲା ଯାଇଥିଲା। ଦିନ ବେଳା ୩ ଜଣ ଘରେ ଲୁଚି ରହୁଥିଲେ। ରାତି ହେଲେ କାମ କରୁଥିଲେ। ତେଣୁ ଘର ମାଲିକଙ୍କ ବିବତ୍ତିକୁ ସହଜରେ ପୋଲିସ ଗ୍ରହଣ କରି ପାରୁନାହିଁ। କୋଲକାତାରେ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରାଯିବ। ପଶ୍ଚିମବଙ୍ଗରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାରେ ୪୨ ମୌଜା ଅଞ୍ଚଳର ମୌଜାର ବ୍ୟବହାର କରାଯାଇଥିବା ପୋଲିସ ଜାଣିପାରିଥିଲା। ତା’ପରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଶରତ ୪୨ ମୌଜା ଥାନା ମୋ’ ପୋଲିସର ଅତୀତରେ ସଦସ୍ୟ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

Share
Tags: gun factory