ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍ଘାଟିତ ହୋଇଥିଲା। ପ୍ରଥମେ ପ୍ରଭୁ ଜଗନ୍ନାଥ ଓ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ବିଶ୍ବବିଦ୍ୟାଳୟର ‘କୂଳଗୀତ ଏବଂ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଅତିଥି ଭାବେ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡ. ଇଲିଆନା ଚିତାରିସ୍ତ ଯୋଗଦେଇ ଓଡ଼ିଶୀ ଓ ଛଉ ଭଳି ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପରମ୍ପରାର ଗଭୀରତା ଓ ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି କଳା ରୂପଗୁଡ଼ିକରେ ଥିବା ସୂକ୍ଷ୍ମତା ଏବଂ ପ୍ରକାଶନ ପ୍ରକୃତରେ ଅନନ୍ୟ ବୋଲି ମତ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ ଯୋଗଦେଇ କହିଲେ, ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ଭାରତର ସାଂସ୍କୃତିକ ବିବିଧତାକୁ ସମ୍ପୂର୍ଣ୍ଣ ଭାବରେ ଉପସ୍ଥାପନ କରିବା ପାଇଁ ବିଶ୍ବବିଦ୍ୟାଳୟର ବ୍ୟାପକ ଦୃଷ୍ଟିକୋଣକୁ ପ୍ରତୀକ କରେ। ଏହା ବ୍ୟତୀତ ଓଡ଼ିଆ ଭାଷା ଶିକ୍ଷଣ ଓ ଗବେଷଣା କ୍ଷେତ୍ରରେ ଆହୁରି କେମିତି ସୁଦୃଢ଼ ହେବ ସେ ବିଷୟରେ ବିଶ୍ବବିଦ୍ୟାଳୟ ତରଫରୁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ କଳା ବିଭାଗର ପ୍ରମୁଖ ପ୍ରଫେସର ସୁଷମା ଘିଲଡିୟାଲ, ପ୍ରଫେସର ସତ୍ୟବ୍ରତ ରାଉତ ଯୋଗଦେଇଥିଲେ। ପରେ ସାଂସ୍କୃତିକ ସନ୍ଧ୍ୟାରେ ମୂର୍ଚ୍ଚନା ନୃତ୍ୟ ଏକାଡେମୀ ଭୁବନେଶ୍ବର ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାରର ସଂଯୋଜକ ପ୍ରଫେସର ଗୋପବନ୍ଧୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଡ. ଅମୀୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ।