ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‌ ଦେଶର ୫ମ

ଭୁବନେଶ୍ୱର,୭।୧(ଅନୁରାଧା ମହାରଣା): ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଉଛି ବୋଲି ନିକଟରେ ନୀତି ଆୟୋଗଙ୍କ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ସର୍ବାଧିକ ବିଦେଶୀ ଛାତ୍ରୀଛାତ୍ର ଶିକ୍ଷାଲାଭ ପାଇଁ ଆସିଛନ୍ତି। ନୀତି ଆୟୋଗ ରିପୋର୍ଟରେ ଭାରତର କେଉଁ ରାଜ୍ୟରେ କେତେ ପିଲା ପଢୁଥିଲେ ଓ ସଂଖ୍ୟା କେତେ ବୃଦ୍ଧି ପାଇଛି ସେନେଇ ବିସ୍ତୃତ ସୂଚନା ଦିଆଯାଇଛି। ଏହି ତଥ୍ୟ ମୁତାବକ, ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆପଣାଇବାରେ ଭାରତର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ପାଇଛି। ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆପଣାଇବାରେ କିଟ୍‌ ଦେଶରେ ପଞ୍ଚମ ସ୍ଥାନରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ, କୋଲକାତା ଓ ହାଇଦ୍ରାବାଦ ଆଦି କସ୍‌ମୋପଲିଟାନ ନଗର ହୋଇଥିବାବେଳେ ପଶ୍ଚିମବଙ୍ଗ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶଠାରୁ ଓଡ଼ିଶାରେ ଅଧିକ ବିଦେଶୀ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଦେଶର ପୂର୍ବାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨୩୬୨ ବିଦେଶୀ ଛାତ୍ରୀଛାତ୍ର ଶିକ୍ଷା ଲାଭ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ କିଟ୍‌ରେ ବିଶ୍ୱର ୭୦ଟି ଦେଶର ୨ହଜାର ଛାତ୍ରୀଛାତ୍ର ଅଛନ୍ତି। ଭାରତର ୫ଟି ଘରୋଇ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ବିଦେଶୀ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା କିଟ୍‌ ୫ମ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରୀଛାତ୍ର କିଟ୍‌ରୁ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ୨୦୧୨ରେ ଓଡ଼ିଶାରେ ମାତ୍ର ୧୨ଜଣ ବିଦେଶୀ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଏବେ କେବଳ କିଟ୍‌ରେ ୨ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି। ଆଗାମୀ ଶିକ୍ଷାବର୍ଷରେ କିଟ୍‌ରେ ବିଦେଶୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଶା ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha