KIIT University Girl Student’s Death: ପ୍ରଥମେ ତଡ଼ିଦେଲେ, ପରେ ଟଙ୍କା ଦେଇ ସ୍ୱର ଚାପି ଦେବାକୁ ଉଦ୍ୟମ

ଭୁବନେଶ୍ୱର,୧୮।୨: କିଟ୍ ବିଶ୍ବବିଦ୍ୟାଳୟରେ ବି.ଟେକ୍ ଛାତ୍ରୀ ମୃତ୍ୟୁ ଘଟଣାରେ ହଷ୍ଟେଲରେ ଥିବା ସମସ୍ତ ନେପାଳୀ ଛାତ୍ରୀଛାତ୍ରଙ୍କୁ ସୋମ‌ବାର ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଜୋରଜବରଦସ୍ତି ସମସ୍ତ ଛାତ୍ରୀଛାତ୍ରଙ୍କୁ କଟକ ରେଳ ଷ୍ଟେଶନକୁ ବିଶ୍ବବିଦ୍ୟାଳୟର ବସ୍ ଯୋଗେ ପଠାଇ ଦେଇଥିଲେ।

ତେବେ ସୋମବାର ଦିନ ତମାମ ଏହି ଘଟଣା ସାମାଜିକ ଗଣମାଧ୍ୟମ ସହିତ ମୁଖ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ତରରୁ ଚାପ ପଡିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇ ଛାତ୍ରମାନଙ୍କୁ ପୁନର୍ବାର କଲେଜ ଫେରିବାକୁ ଆହ୍ୱାନ କରିଥିଲେ। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ, ପୋଲିସ ଏବଂ ରେଲୱେ ଅଧିକାରୀମାନେ ସେମାନଙ୍କୁ କଲେଜ ଫେରିବାକୁ ବାଧ୍ୟ କରିଥିଲେ। ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଯଚାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ ପ୍ରାୟ ୬୦ରୁ ଅଧିକ ଛାତ୍ରୀଛାତ୍ର ଦୀର୍ଘ ସମୟ ଧରି କଟକ ରେଳଷ୍ଟେଶନଠାରେ ଅପେକ୍ଷା କରିବା ସହ ପାଖରେ ଟ୍ରେନ୍ ଟିକେଟ୍ ଓ ଖାଇବା ପାଇଁ ନ ଥିବାରୁ ନିରାଶ ହୋଇଥିଲେ। ପରେ ଅପରାହ୍ନ ପ୍ରାୟ ୪ଟା ୫୦ ମିନିଟରେ ପୁରୀ- ପାଟନା ଏକ୍ସପ୍ରେସ୍‌ରେ ରିଜର୍ଭେରେଶନ ଟିକେଟ୍ ନ ଥିବାରୁ ଜେନେରାଲ ବଗିରେ ଛାତ୍ରୀଛାତ୍ର ଯାଇଥିବା ସୂଚନା ମିଳିଛି। ବିଶ୍ବବିଦ୍ୟାଳୟର କିଛି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି ଯେ, କର୍ତ୍ତୃପକ୍ଷ ବିନା କୌଣସି ନୋଟିସରେ ବିଶ୍ବବିଦ୍ୟାଳୟରୁ ବିଦା କରି ଦେଇଛନ୍ତି। କୌଣସି ସୁବିଧା ନ କରି କଟକରେ ଆଣି ଛାଡ଼ିଛନ୍ତି। ଏହାସହ କିଛି ଛାତ୍ରୀଛାତ୍ରଙ୍କୁ ହଷ୍ଟେଲ ୱାର୍ଡେନ ପାଇପ୍‌ରେ ପିଟିଛନ୍ତି । କେବଳ ସହ‌ପାଠୀଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ କରିବା କାରଣରୁ ସମସ୍ତଙ୍କୁ ବିଦା କରାଯାଇଥିବା ନେଇ ଛାତ୍ରୀଛାତ୍ରମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share