KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରତିଷ୍ଠାତା ପହଞ୍ଚିଲେ ହେଲେ ମୁହଁ ଖୋଲିଲେନି

ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଟ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଓଡ଼ିଶା ବିଶ୍ୱ ଦରବାରରେ ପୁଣିଥରେ ନିନ୍ଦିତ ହେବାକୁ ପଡିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଛାତ୍ର ଅଶାନ୍ତି ତେଜିଛି। ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଜାଳି ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଛନ୍ତି ଛାତ୍ରୀଛାତ୍ର।

ଅନ୍ୟପକ୍ଷେ , ଅନଶନରେ ବସିଥିବା ନବ ନିର୍ମାଣ ଛାତ୍ର ସଂଗଠନକୁ ଭେଟିଲେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଅନଶନକାରୀଙ୍କ ସହ ଆଲୋଚନା କରି ତାଙ୍କ ଦାବିପତ୍ର ଗ୍ରହଣ କରିଛନ୍ତି। କିଟ୍‌ ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଏହି ସମୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ପ୍ରଥମ ଭିଡିଓ ସାମନାକୁ ଆସିଛି। ଏହା ନେପାଳୀ ଛାତ୍ରୀଙ୍କ ହଷ୍ଟେଲ ରୁମ୍‌ କବାଟ ଭାଙ୍ଗିବା ବେଳର ଭିଡିଓ । ଯାହା ଏବେ ବେଶୀ ଭାଇରାଲ ହେବାରେ ଲାଗିଛ। ପୋଲିସ ଆସିବା ଆଗରୁ ହଷ୍ଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଜୋରଜବରଦସ୍ତ କବାଟ ଭାଙ୍ଗି କଲେଜ ଛାତ୍ରୀ ଏବଂ କର୍ତ୍ତୃପକ୍ଷ ଭିତରକୁ ପଶିଥିଲେ। ରୁମ୍‌ ଭିତରେ ନେପାଳୀ ଛାତ୍ରୀଙ୍କ ମୃତଦେହ ଝୁଲୁଥିବାର
ଭିଡିଓରେ ଦେଖାଯାଇଛି।

ଅନ୍ୟପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକ୍ସନ ମୋଡକୁ ଆସିଛନ୍ତି। ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିରେ ସ୍ଥାନ ପାଇଛନ୍ତି ୩ଟି ବିଭାଗର ସଚିବ। କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ମଧ୍ୟ ସ୍ଥାନ ପାଇଛନ୍ତି।

କମିଟି ଗଠନ କରିବା ସହ ଛାତ୍ରୀଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ତ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ।