KIITରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷୋଭ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର,୨।୫:କିଟ ବିଶ୍ୱବିଦ୍ୟାଳୟ(KIIT)ରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି। ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ସେ ଟୁଇଟ୍‌ ଯୋଗେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ ପାଇଁ କହିଛନ୍ତି।
ନେପାଳ ବୈଦେଶିକ ମନ୍ତ୍ରୀ ନିଜ ଟୁଇଟ୍‌ରେ କହିଛନ୍ତି,ଓଡ଼ିଶାର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ନେପାଳୀ ଛାତ୍ରୀ ପ୍ରିସା ସାହଙ୍କ ତାଙ୍କ ହଷ୍ଟେଲ ରୁମ୍‌ରେ ମୃତଦେହ ମିଳିବା ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ପ୍ରିସାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛୁ। ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି।

ଘଟଣା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁରନ୍ତ କୂଟନୈତିକ ପ୍ରୟାସ ଆରମ୍ଭ କରିଛି, ଭାରତ ସରକାର, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଦିଲ୍ଲୀରେ ଥିବା ନେପାଳୀ ଦୂତାବାସ ସହିତ ସମନ୍ବୟ ରଖି ଘଟଣାର ସତ୍ୟତା ଏବଂ ତଥ୍ୟ ତଦନ୍ତ କରିଛି।

ସୂଚନାଯୋଗ୍ୟ, ଗୁରୁବାର କିଟ୍‌ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା। ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ। ଏହି ଅଭିଯୋଗକୁ ନେଇ ସେ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାଶନାଲ ରିଲେସନ୍ସ ଅଫିସ (IRO)ରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଜାତୀୟ ମାନବାଧିକାର ଆୟୋଗ (NHRC) ତାଙ୍କ ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ ଗୁରୁତର ଅବହେଳା ବୋଲି କୁହାଯାଇଥିଲା।