Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render
ଭୁବନେଶ୍ୱର, ୬।୫(ବ୍ୟୁରୋ):ରାଜ୍ୟରେ କିଛିଦିନ ଧରି ସଂକ୍ରମଣ କମିବା ସହ ଗତ ୪ଦିନ ହେବ ପ୍ରାୟତଃ ସ୍ଥିର ଅବସ୍ଥାରେ ଥିଲା। ଗତ ୧୦ ତାରିଖରେ ୧୦,୪୧୩ ପଜିଟିଭ୍ ଚିହ୍ନଟ ହୋଇ ସର୍ବକାଳୀନ ରେକର୍ଡ କରିଥିଲା। ଏହାପରେ ଦୈନିକ ସଂକ୍ରମଣ ୮ହଜାର ପାଖାପାଖି ରହୁଥିଲା। ଏବେ ପୁଣି କରୋନା ୧୦ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୮୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୬ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାର ସ୍ଥିତିକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ଏହି ଦୁଇ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧,୩୩୧ଜଣ ଆକ୍ରାନ୍ତ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧,୧୩୭ଜଣଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି। ଗତ ୫ ଦିନ ଭିତରେ କେବଳ ଏହି ଦୁଇ ଜିଲାରୁ ୧୧,୧୩୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ୨୬ଜଣଙ୍କ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଖୋର୍ଦ୍ଧାରେ ୬,୯୩୧ଜଣ ପଜିଟିଭ୍ ଓ ୧୬ ମୃତ ଏବଂ ସୁନ୍ଦରଗଡ଼ରେ ୪,୨୦୦ ପଜିଟିଭ୍ ଓ ୧୦ ମୃତକ ରହିଛନ୍ତି। ଖୋର୍ଦ୍ଧାରୁ ଚିହ୍ନଟ ମୋଟ ୧,୩୩୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୧୦୭୪ଜଣ ରହିଛନ୍ତି।
ଅନ୍ୟ ଜିଲାରେ ମଧ୍ୟ ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି। କଟକ ଜିଲାରୁ ଆଉ ୭୯୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବରଗଡ଼ରୁ ୪୮୩, ଅନୁଗୋଳରୁ ୪୪୩, ପୁରୀରୁ ୪୩୬, କଳାହାଣ୍ଡିରୁ ୪୧୪, ଝାରସୁଗୁଡ଼ାରୁ ୩୮୬, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦, ଯାଜପୁରରୁ ୨୮୨, କେନ୍ଦୁଝରରୁ ୧୯୫, ସୋନପୁରରୁ ୧୫୮, ଜଗତ୍ସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ରାୟଗଡ଼ା ଓ ବୌଦ୍ଧରୁ ୧୨୯ ଲେଖାଏ, ଗଜପତିରୁ ୧୧୭ଜଣ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୪,୮୯,୬୪୧ରେ ପହଞ୍ଚତ୍ଛି। ସେହିପରି ମୃତ ୧୬ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୪ଜଣ ଥିବାବେଳେ କଳାହାଣ୍ଡି ଓ ଗଜପତିରେ ୩ଜଣ ଲେଖାଏ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ୨ଜଣ ଲେଖାଏ, ପୁରୀ ଓ ସମ୍ବଲପୁରରେ ଜଣେ ଲେଖାଏ ରହିଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨,୧୦୪କୁ ବୃଦ୍ଧି ପାଇଛି।