ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର ୯ଟି ଜିଲା ଦେଇ ଅତିକ୍ରମ କରିବ।

ଏହି ୬-ଲେନ୍ ବିଶିଷ୍ଟ ହାଇସ୍ପିଡ୍ କରିଡର ପାଇଁ ପୂର୍ତ୍ତ ବିଭାଗର ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲା ଦେଇ ଯିବ। ମୋଟ ୧,୧୦୨ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସୱେର ୫୨୨ କିଲୋମିଟର କେବଳ ଓଡ଼ିଶାରେ ନିର୍ମାଣ ହେବ।

ଗଞ୍ଜାମ ଜିଲାରେ ସର୍ବାଧିକ ୯୭ କିମି ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ଢେଙ୍କାନାଳରେ ୮୮ କିମି, ମୟୂରଭଞ୍ଜ ଓ କେନ୍ଦୁଝରରେ ୮୬ କିମି ଲେଖାଏଁ ଏବଂ ରାୟଗଡ଼ାରେ ୫୩ କିମି ରାସ୍ତା ନିର୍ମିତ ହେବ। ଏହି କରିଡର ରାଜ୍ୟର ୨୭ଟି ସହରାଞ୍ଚଳକୁ ସଂଯୋଗ କରିବା ସହ ଖଣିଜ ସମ୍ପଦ ଭରା ଅଞ୍ଚଳଗୁଡ଼ିକର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ବୈଠକରେ ପ୍ରସ୍ତାବିତ ରୁଟ୍ ଏବଂ ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରାଯାଇଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଏହି ବୃହତ ପ୍ରକଳ୍ପ ଦ୍ୱାରା ଯାତାୟାତ ଓ ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

Share