ଭୁବନେଶ୍ୱର,୭।୨(ସୌମ୍ୟରଞ୍ଜନ ରାଉତ): ଆରମ୍ଭ ହେଲା ଖଣ୍ଡଗିରିରେ ଯାତ୍ରାର ମହାପର୍ବ। ଅପେରା ପେଣ୍ଡାଲରେ ଜଲିଉଡ୍ ଦୁନିଆର ବଡ଼ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନରେ ମଞ୍ଚ ଦୁଲୁକାଇ ଦେଖାଇଛନ୍ତି। ଏନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ୪ଟି ପେଣ୍ଡାଲରେ ଯାତ୍ରା ପରିବେଷିତ ହେବାକୁ ଥିବାବେଳେ ସୂର୍ଯ୍ୟମନ୍ଦିର ଅପେରା ପାର୍ଟିର ‘ହାଇଦର’ ଓ ଶିବାନୀ ଗଣନାଟ୍ୟର ‘ହା କୃଷ୍ଣ ବୋଲି ଯାଉ ଜୀବ’ ଭିତରେ କଡ଼ା ଟକ୍କର ହୋଇଛି। ଶୁକ୍ରବାର ଅନ୍ୟ ୨ଟି ପେଣ୍ଡାଲରେ ନାଟକ ପରିବେଷଣ ହେବ।
ଇନ୍ଦିରା ସାଂସ୍କୃତିକ ପରିଷଦ, ଜାଗମରା
ଇନ୍ଦିରା ସାଂସ୍କୃତିକ ପରିଷଦ, ଜାଗମରା ଯାତ୍ରା ଟକ୍କର ଭିତରେ ପଛରେ ପଡ଼ିନାହିଁ। ଏଠାରେ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଗାତର ଶିବାନୀ ଗଣନାଟ୍ୟ ସୁପର୍ ହିଟ୍ ଯାତ୍ରା ‘ହା କୃଷ୍ଣ ବୋଲି ଯାଉ ଜୀବ’ ନାଟକ ପରିବେଷଣ ହେବ। ଏଥିରେ ମୁଖ୍ୟ କଳାକାର ଗୌର, କାବେରୀ, ଟାହିଆ, ମାମା, କାଳିଆ, ବ୍ରଜ ପାଣି ଓ ଅନ୍ୟାନ୍ୟ ସାଥୀ କଳାକାର ନିଜର କଳା ପ୍ରଦର୍ଶନ କରୁଛନ୍ତି।
ସନାତନ ସେବା ସମିତି, ଘାଟିକିଆ
ସୂର୍ଯ୍ୟ ମନ୍ଦିର ଅପେରାର ‘ହାଇଦର’ ନାଟକ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ଯାତ୍ରା ହିରୋ ପୀୟୂଷଙ୍କ ସୁପର୍ ଡାଇଲଗ୍ରେ କରତାଳି, ହୁଇସିଲ୍ରେ ପେଣ୍ଡାଲ କମ୍ପିଥିଲା। ଏଥିରେ ପୀୟୂଷ, ମାମା, ହୃଷୀକେଶ, କ୍ଷିତିଶ, ବବୁଲ, ପିଙ୍କି, କାଳି, ଭିକାରି, ନିରୁଆ ଓ ଅନ୍ୟାନ୍ୟ ପ୍ରମୁଖ ଅଭିନୟ ପ୍ରଦର୍ଶନ କରିଥିଲେ।
ହରେକୃଷ୍ଣ ମହତାବ ପେଣ୍ଡାଲ, ଆଇଗିଣିଆ
ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲରେ ରାଣୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ନାଟ୍ୟ ସମ୍ରାଟ ପୃଥ୍ବୀରାଜ ତା’ର ନାଟକ ‘ରାଜଧାନୀର ରଜନୀ ଗନ୍ଧା’ ପରିବେଷଣ କରିଛି। ଏଥିରେ ମୁଖ୍ୟ କଳାକାର ରାଣୀ ପଣ୍ଡା, ଶଶୀ, ଦିନା, ତାରିଣୀ, ପାୟଲ ଓ ବିଶ୍ୱଜିତ ପ୍ରମୁଖ ଅଭିନୟ ପ୍ରଦର୍ଶନ କରୁଛନ୍ତି।