ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଜବତ କରିଛି ପୋଲିସ । ଏହାସହିତ ୧୦ ଲକ୍ଷ ଟଙ୍କାର ରୂପା ବିସ୍କୁଟ, ୫୦ ଗ୍ରାମ ସୁନା ଗହଣା ଜବତ ହୋଇଛି ।
ସୂଚନା ଅନୁସାରେ, ପରିବାରର ସମସ୍ତ ସଦସ୍ୟ ନେହେନା, ବିଛନାପାଳି ଠାରେ ଥିବା ତାଙ୍କର ଶିବ ମନ୍ଦିରକୁ ପୂଜା କରି ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରିଥିଲେ। ଚୋରିର ଘଟଣାର ମୁଖ୍ୟ ଅସମୀ ଭୋଲେଶ୍ୱର ଠେଲା (୧୯) ଖଡ଼ିଆଳ ଥାନା ଅନ୍ତର୍ଗତ ଅଞ୍ଚଳପୁର ଗ୍ରାମର ପୂର୍ବରୁ ଶ୍ରୀ ଅଗ୍ରୱାଲଙ୍କ ଘରେ କାମ କରୁଥିଲେ। ଦୁଇ ବର୍ଷ ହେଲା କାମ ଛାଡ଼ି ଦେଇଥିଲେ। ଘରେ ଚୋରି ହେବା ପରେ ଭୋଲେଶ୍ୱର ଘର ନିକଟରେ ବୁଲାବୁଲି କରୁଥିବା ପରିବାର ଲୋକେ ଦେଖି ପୁଲିସକୁ ସୂଚନା ଦେବା ପରେ ପୁଲିସ ସମ୍ପୃକ୍ତ ଯୁବକ ଭୋଲେଶ୍ୱରକୁ ଅଟକ ରଖି ପଚରା ଉଚରା କରିବା ପରେ ତାଙ୍କ ଗ୍ରାମର ଅନ୍ୟ ତିନିଜଣ ସାଙ୍ଗ ଚୁଡାମଣି କାଣ୍ଡ (୨୧) ଗଣେଶ ଠେଲା (୩୧) ଓ ହେମନ୍ତ କଟା (୨୫) ଙ୍କୁ ପୁଲିସ ଥାନାକୁ ଆଣି ପଚରା ଉଚରା ପରେ ଚୋରି କରିଥିବା ସ୍ୱୀକାର କରିଥିଲେ।
ଘରେ ଥିବା ଲୁହା ଲକର ସହିତ ନେଇ ଯାଇଥିଲେ ଓ ଲୁହା ଲକରକୁ ସିନାପାଲି ଉଦନ୍ତୀ ନଦୀରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ସମୁଦାୟ ୫୫ ଲକ୍ଷ ଟଙ୍କା ସାଙ୍ଗକୁ ୪ ଗୋଟି ମୋବାଇଲ ଫୋନ୍ ଏବଂ ଦୁଇ ଗୋଟି ବାଇକ୍ ମଧ୍ୟ ଜବତ କରିଛନ୍ତି । ଚୋରି ହୋଇଥିବା ସମସ୍ତ ୫୫ ଲକ୍ଷରୁ ଉର୍ଦ୍ଧ ମୂଲ୍ୟ ନଗଦ ଟଙ୍କା, ସୁନା ରୂପା ସାମଗ୍ରୀ ୧୦୦ ପ୍ରତିଶତ ସାମଗ୍ରୀ ଉଦ୍ଧାର ହୋଇସାରିଛି। ଏହି ବଡ ଚୋରି ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଖଡିଆଳ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ନୂଆପଡା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଳ ସିଂଙ୍କ ନେତୃତ୍ୱରେ ଖଡିଆଳ ଏସଡିପିଓ ଓ ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାଏକ, ସିନାପାଲି ଥାନା ଅଧିକାରୀ ଦୁର୍ଗା ପ୍ରସାଦ ବାଗ ବୋଡେ଼ନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏଙ୍କ ନେତୃତ୍ୱରେ ଟିମ ଗଠନ କରି ଚୋରି ଘଟଣାରେ ୨୪ ଘଣ୍ଟା ମଧ୍ୟରେ ଚୋରି ଟଙ୍କା ସୁନା ଓ ରୁପା ୧୦୦ ପ୍ରତିଶତ ଉଦ୍ଧାର କରିଥିଲେ । ନୂଆପଡ଼ା ଜିଲ୍ଲାରେ ୫୦ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ପ୍ରଥମ ଘଟଣା ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।