ପଞ୍ଚଭୂତରେ ଲୀନ ହେଲା ରାଜାଙ୍କ ପାର୍ଥିବ ଶରୀର, ଯୁବରାଜ ଦେବଦେବ ସିଂଦେଓଙ୍କ ରାଜାଭିଷେକ

ଖଡ଼ିଆଳ,୬ା୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ରାଜା ସ୍ବର୍ଗତ ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ପାର୍ଥିବ ଶରୀର ସୋମବାର ନେହେନା ସୁନ୍ଦର ନଦୀ ରାଣୀଘାଟରେ ପଞ୍ଚଭୂତରେ ଲୀନ ହୋଇଛି। ଏହାପରେ ଖଡିଆଳର ୧୯ତମ ରାଜାଭାବେ ଯୁବରାଜ ଦେବଦେବ ସିଂଦେଓଙ୍କ ନାମ ଘୋଷଣା କରାଯାଇ ରାଜ ପରିବାରର ରୀତିନୀତି ଅନୁଯାୟୀ ରାଜାଭିଷେକ କରାଯାଇଥିଲା। ଏହି ସମାରୋହରେ ରାଜ ପୁରୋହିତ ପ୍ରଫୁଲ୍ଲ ରଥ, ପୂଜକ ସୁଦର୍ଶନ ଠାକୁର, ପାଟଯୋଷୀ, ସେବାୟତ, ବୁଦ୍ଧିଜୀବୀ, ସଚେତନ ନାଗରିକ, ରାଜପରିବାର ସଦସ୍ୟ ଯୋଗ ଦେଇଥିଲେ। ପରେ ରାଜା ଦେବଦେବ ସିଂଦେଓ ସ୍ବର୍ଗତ ରାଜା ଡ. ଜିତାମିତ୍ର ସିଂଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ତାଙ୍କ ସାନ ପୁଅ ଅମ୍ବରିଶ ସିଂଦେଓ ମୁଖାଗ୍ନି ଦେଇଥିଲେ।
ଏହା ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ବିଶାଳ ଶୋଭାଯାତ୍ରାରେ ଖଡିଆଳ ସହର ପରିକ୍ରମା କରାଯାଇଥିଲା। ଏହି ସମୟରେ ସହରର ହଜାର ସଂଖ୍ୟାରେ ଲୋକ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।

ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ତାଙ୍କୁ ସମ୍ମାନ ଜଣାଇ ସହରର ଅନେକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା। ଖଡ଼ିଆଳର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ସ୍ବର୍ଗତ ରାଜା ଜିତାମିତ୍ରଙ୍କୁ ସମ୍ମାନ ଜଣାଇଥିଲେ। ଶୋଭାଯାତ୍ରାରେ ନେହେନା ଗ୍ରାମରେ ପାର୍ଥିବ ଶରୀର ପହଞ୍ଚତ୍ବା ପରେ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଥିଲେ। ସୂଚନାଯୋଗ୍ୟ ରବିବାର ମଧ୍ୟାହ୍ନଭୋଜନ ପରେ ରାଜା ଡ. ଜିତାମିତ୍ର ପ୍ରସାଦ ସିଂଦେଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାର କିଛି ସମୟ ଭିତରେ ଖଡ଼ିଆଳସ୍ଥିତ ରାଜଭବନରେ ତାଙ୍କର ପରଲୋକ ହୋଇଯାଇଥିଲା।

 

Dharitri – Odisha’s No.1 Odia Daily