ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ ହାଟିଂ ସୁନାନଦୀ ଅବବାହିକାରେ ଥିବା ଏକ ପରିତ୍ୟକ୍ତ ଦୁର୍ଗମ ବନାଞ୍ଚଳରେ ପ୍ରାୟ ୨ ଏକର ପରିମିତ ଜମିରେ ଅଫିମ ଚାଷକୁ ମୂଳୋତ୍ପାଟନ କରିଛି କେନ୍ଦୁଝର ଜିଲା ପୋଲିସ । ଅପହଞ୍ଚ ହୋଇଥିବା ଏହି ଅଗ୍ନାଅଗ୍ନୀ ବନସ୍ଥରେ ନିଶା ବେପାରୀ ମାନଙ୍କର ଚାଲିଥିଲା କଳା ସାମ୍ରାଜ୍ୟ । ଏହି ଚାଷ ସମ୍ପର୍କରେ ଗୁପ୍ତ ସୂଚନା କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ପାଇବା ପରେ ବଡବିଲ ପୋଲିସର ଅପରେସନ ଆରମ୍ଭ ହୋଇଥିଲା। ଗୁରୁବାର ସକାଳ ୯ ଟା ସମୟରେ ପୋଲିସ ଦ୍ୱାରା ଗଠନ ହୋଇଥିବା ଟିମ୍ ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆଙ୍କ ନେତୃତ୍ୱରେ ଏହି ଚଢାଉ କରିଥିଲା । ଏଥିରେ ବଡବିଲ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଡ୍ୟୁଟିରେ ଏହି ଚଢାଉରେ ସାମିଲ ଥିଲେ ।

ପ୍ରାୟ ୨ ଏକର ପରିମିତ ଜମିରେ ଅଫିମ ଗଛର ଫୁଲ ଏବଂ ସମ୍ପୂର୍ଣ୍ଣ ଗଛକୁ ପୋଲିସ ଫୋର୍ସ ବଡବିଲ ଆଇଆଇସି ଅଶୋକ କୁମାର ନାୟକଙ୍କ ନିର୍ଦ୍ଦେଶରେ ମୂଳତତ୍ପାଟନ କରି ନଷ୍ଟ କରି ଦେଇଥିଲେ । ଏହି ଗଛରୁ ପ୍ରସ୍ତୁତ ଅଫିମର ମୂଲ୍ୟ କୋଟି କୋଟି ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଉଛି । ବେଳ ଥାଉ ଥାଉ ଗଛ ପୂର୍ଣ୍ଣ ବିକଶିତ ହେବା ପୂର୍ବରୁ ପୋଲିସ ଏହାକୁ ନଷ୍ଟ କରି ଦେଇଥିଲା । ତେବେ ଜିଲାରେ ପ୍ରଥମଥର ପାଇଁ  ଅଫିମ ନିଶା ଗଛ ଜିଲା ପୋଲିସ ଠାବ କରିଛି ଏବଂ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜଣାପଡିଛି ଯେ ଏହି ଅଫିମ ଚାଷରେ ଆନ୍ତଃରାଜ୍ୟ ବେପାରୀ ସାମିଲ ଥାଇପାରନ୍ତି । ତଦନ୍ତ ଚାଲିଥିବା ହେତୁ ବଡବିଲ ଏସଡିପିଏ ପିଙ୍ଗୁଆ ଅଧିକ ସୂଚନା ଦେବା ପାଇଁ ମନା କରି ଦେଇଛନ୍ତି ।

 

Dharitri – Odisha’s No.1 Odia Daily