କେନ୍ଦ୍ରାପଡ଼ା,୭ା୮: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କରିବା ଓ ବଳଙ୍ଗା ଛାତ୍ରୀ ପୋଡ଼ି ମରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ପୁଣି ସେପରି ଘଟଣା ଘଟିଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ପଞ୍ଚାୟତ କାଠିଆପଡା ଗ୍ରାମର ଜଣେ ଯୁକ୍ତ୩ ଶେଷବର୍ଷର ଛାତ୍ରୀ ନିଜ ଘରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ତେବେ ସେ ଆତ୍ମାହୁତି କରିଛନ୍ତି, ନା ତାଙ୍କୁ କେହି ଜାଳିଦେଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ମୃତା ଛାତ୍ରୀ ହେଲେ ସଙ୍ଗୀତା ପରିଡ଼ା(୨୦)। ଅଶୋକ ନାମକ ଜଣେ ଯୁବକ ତାଙ୍କୁ ବାରମ୍ବାର ବ୍ଲାକ୍ମେଲିଂ କରିବା ସହିତ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମାହୁତି ଦେଇଥିବା ତାଙ୍କ ବାପା ଶଶିକାନ୍ତ ପରିଡ଼ା ଅଭିଯୋଗ କରିଛନ୍ତି। ଏପରି କି ବ୍ଲାକ୍ମେଲିଂ ସଂକ୍ରାନ୍ତରେ ସଙ୍ଗୀତା ଗତ ୬ ମାସ ତଳେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସଙ୍ଗୀତା ସେହିଦିନଠାରୁ ଚିନ୍ତାଗ୍ରସ୍ତ ଥିଲେ। ଶେଷରେ ସେ ଅନ୍ୟ କୌଣସି ଉପାୟ ନ ପାଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା କହିଛନ୍ତି।


