କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା ପ୍ରଶାସନ ଶୁକ୍ରବାର ଦେଶାନ୍ତର କରିଥିବା ସୂଚନା ମିଳିଛ। ସେମାନେ ହେଲେ ଅମିନା ବିବି, ଇନସାନ ଖାନ ଓ ମୁନତାଜ ଖାନ। ୨୦୨୫ ନଭେମ୍ବର ୨୭ରେ ଜିଲାର ବିଭିନ୍ନ ସ୍ଥାନରେ ରହି ଆସୁଥିବା ୧୨ ଜଣିଆ ପରିବାର ସଦସ୍ୟଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ଜିଲା ପୋଲିସ ଅଟକ ରଖିଥିଲା। ୭ ଦିନ ମଧ୍ୟରେ ଅଟକଙ୍କ ମଧ୍ୟରୁ ପରିଚୟ ପତ୍ର ସଂଗ୍ରହ କରି ୯ ଜଣଙ୍କୁ ଛାଡି ଦେଇଥିଲା। ତେବେ ଏହି ୩ ଜଣ ପରିଚୟ ପତ୍ର ଦେଇ ନ ପାରିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା। ଏହି ପରିବାର ୧୯୮୭ ମସିହାରେ ବାଂଲାଦେଶରୁ ଆସିଥିବା ସୂଚନା ମିଳିଛି। ଅପରପକ୍ଷରେ ୨୦୦୪ ମସିହାରେ କେନ୍ଦ୍ରାପଡ଼ା ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ମୋଟ ୧୬୪୯ ଜଣ ଅନୁପ୍ରବେଶକାରୀ ଭାବେ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ରହୁଥିବା ଚିହ୍ନଟ ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଥିଲା। କୋର୍ଟରେ ମାମଲା କରିବା ପରେ ସେମାନେ ଦେଶାନ୍ତର ହୋଇ ନ ଥିଲେ। ସୂଚନାଯୋଗ୍ୟ ବଙ୍ଗ ଭଙ୍ଗ ସମୟରେ ମୋଟ ୧୨୩୭ ବାଂଲାଦେଶୀଙ୍କୁ କେନ୍ଦ୍ରାପଡ଼ା ଜିଲାରେ ଥଇଥାନ କରାଯାଇଥିଲା। ୨୦୧୧ ଜନଗଣନାରେ ବଙ୍ଗଭାଷୀଙ୍କ ସଂଖ୍ୟା ୭୬ ହଜାରରୁ ଅଧିକ ହୋଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଲକ୍ଷାଧିକ ଅଛି।

Dharitri – Odisha’s No.1 Odia Daily