କିଟ୍‌ରେ ଛାତ୍ରୀ ମୃତ୍ୟୁ, ନିର୍ଯାତନା ଘଟଣା: ରିମାଣ୍ଡରେ ପୁରୁଷବନ୍ଧୁ ଆଦଭିକ୍‌

ଭୁବନେଶ୍ୱର,୨୧।୨(ସତ୍ୟଜିତ୍‌ ରାଉତ): କିଟ୍‌ ବିଶ୍ୱ ବିଦ୍ୟାଳୟରେ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମସଲ୍‌ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ ଚାଲିଛି। ଅପରପକ୍ଷରେ ପ୍ରକ୍ରିତିଙ୍କୁ ବ୍ଲାକମେଲ୍‌ କରି ଗିରଫ ହୋଇଥିବା ଅଭିଯୁକ୍ତ ପୁରୁଷବନ୍ଧୁ ଆଦଭିକ୍‌ ଶ୍ରୀବାସ୍ତବ ୩ ଦିନିଆ ପୋଲିସ ରିମାଣ୍ଡରେ ଆସିଛନ୍ତି। ବୁଧବାରଠାରୁ ଝାରପଡ଼ା ଜେଲରୁ ଅଭିଯୁକ୍ତ ଆଦଭିକ୍‌ଙ୍କୁ ପୋଲିସ ଟିମ୍‌ ଆଣି ମାରାଥନ୍‌ ଜେରା କରୁଛି। ପ୍ରକ୍ରିତିଙ୍କୁ ସେ କେବେଠୁ ପ୍ରେମ କରୁଥିଲେ, ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ, କାହିଁକି ନିର୍ଯାତନା ଦେଲେ, କିଭଳି ନିର୍ଯାତନା ଦେଉଥିଲେ ଆଦି ଦିଗକୁ ନେଇ ଆଦଭିକ୍‌ଙ୍କଠୁ ପୋଲିସ ତଥ୍ୟ ହାସଲ କରୁଛି। ଅନ୍ୟପକ୍ଷରେ ଆଦଭିକ୍‌ଙ୍କ ଭଏସ୍‌ ସ୍ପେକ୍‌ଟ୍ରୋଗ୍ରାଫି ଟେଷ୍ଟ ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପ୍ରକ୍ରିତି ଓ ଆଦଭିକ୍‌ ବାର୍ତ୍ତାଳାପର ଏକ ଅଡିଓ କଲ ଭାଇରାଲ ହୋଇଥିଲା। ଉକ୍ତ ଭାଇରାଲ ଅଡିଓରେ ଆଦଭିକ୍‌ ଗାଳିଗୁଲଜ କରୁଥିବା ବେଳେ ପ୍ରକ୍ରିତି କାନ୍ଦୁଥିବା ଶୁଣିବାକୁ ମିଳିଥିଲା। ତେବେ ଏଥିରେ ଥିବା ପୁରୁଷ କଣ୍ଠସ୍ବର ଆଦଭିକ୍‌ଙ୍କ କି ନୁହେଁ ତାହା ପ୍ରମାଣ କରିବାକୁ ପୋଲିସ ଉକ୍ତ ଭଏସ୍‌ ଟେଷ୍ଟ କରିବ। ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ଏହି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ କିଟ୍‌ ଗେଟ୍‌ ସମ୍ମୁଖରେ ଓଡ଼ିଶା ଛାତ୍ର ସମାଜ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ କରାଯାଇଛି। ସେହିପରି ସାରେ କିଟ୍‌ ମୁଖ୍ୟ ଫାଟକ ସାମ୍ନାରେ ବଜରଙ୍ଗୀ ଦଳ ପକ୍ଷରୁ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଜରଙ୍ଗ କର୍ମୀମାନେ ବିଦ୍ୟାର୍ଥୀଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ ପ୍ଲାକାର୍ଡ ପ୍ରଦର୍ଶନ କରି ହୋହାଲ୍ଲା କରିଥିଲେ। ଏହି ମାମଲାରେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦାୟୀ କରି ନାରାବାଜି ଦେଇଥିଲେ। ତେବେ ମୁଖ୍ୟ ରାସ୍ତାରେ ଭିଡ଼ ପରିଚାଳନା କରି ଯାତାୟାତ ସ୍ବଭାବିକ କରିବାକୁ ପୋଲିସ ଫୋର୍ସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଥିଲେ। ଫଳରେ ପୋଲିସ ସହ ବଜରଙ୍ଗୀ ଦଳର ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଏହି ମାମଲାରେ ଅଚ୍ୟୁତଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ତାଙ୍କୁ ଗିରଫ କରାଯାଉ ବୋଲି କହି ଆନ୍ଦୋଳନକାରୀମାନେ ଗର୍ଜିଥିଲେ।

Share
Tags: kiit