Posted inଫୁରସତ

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ ବାଜିଗଲା କି କ’ଣ ଗାଈର ନାତ ଖାଇ ଘରେ କିଛିଦିନ ଶଯ୍ୟାଶାୟୀ ହେଲି। ଜଣେ କହିଲେ, ତୋର ଶନି ଦଶା ଚାଲିଛି କଳା ଷଣ୍ଢ ଦେଖି ଖାଇବାକୁ ଦେ । ମହାଦେବଙ୍କ ଆଶିଷ ପାଇଲେ ମହାଦଶା କଟିବ । କଳା ଷଣ୍ଢ କଥା ଶୁଣି ମୋର ହାଲତ ଆହୁରି ଖରାପ। କାରଣ ପ୍ରଥମେ ଯେଉଁ ଷଣ୍ଢର ଚିତ୍ର ମୋ ଆଖି ଆଗରେ ଭାସି ଆସିଲା ସେ ହେଲା ଆମ ଏରିଆରେ ଆତଙ୍କ ସୃଷ୍ଟି କରିଥିବା ବେଶ୍‌ ହୃଷ୍ଟପୁଷ୍ଟ କଳା ଷଣ୍ଢ । ତାକୁ ଖାଇବାକୁ ଦେବା ଦୂର କଥା ତା’ ସାମ୍ନା ଦେଇ ଯିବାକୁ ଲୋକଙ୍କ ଡର। ପରିବା ଦୋକାନୀ ଡାଲାରୁ ଶାଗ ବିଡା ମୁହଁରେ ଧରିବ ମାନେ ଯେତେ ପିଟିଲେ ବି ଶାଗ ବିଡା ତା’ ମୁହଁରୁ ଛଡେଇ ନେବା ମୁସ୍କିଲ । ଧରିଛି ମାନେ ଖାଇବ । ଅବଶ୍ୟ ତା’ର ଏହି ଅଭ୍ୟାସ ମୋତେ ବହୁତ ପ୍ରେରଣା ଦିଏ । ଲକ୍ଷ୍ୟ ପୂରଣର ରାସ୍ତା ଯେତେ କଷ୍ଟଦାୟକ ହେଲେ ବି ଲକ୍ଷ୍ୟ ପଥରୁ କେବେ ବିଚ୍ୟୁତ ହେବା କଥା ନୁହେଁ। ସେ ଯାହା ହେଉ ବହୁତ ସାହସ ସଞ୍ଚୟ କରି ଦିନେ ରୋଟି ନେଇ ସେ ଷଣ୍ଢକୁ ଖାଇବାକୁ ଦେଲି । ଷଣ୍ଢ ରୋଟି ଖାଇଲା ବେଳେ ତା’ ମୁଣ୍ଡକୁ ଆଉଁସି ଦେଇ ମୁଣ୍ଡିଆ ମାରିଲି । ଆଶ୍ଚର୍ଯ୍ୟ, ସେ ଷଣ୍ଢ ଅତି ଆନନ୍ଦରେ ରୋଟି ଖାଇ ଚାଲିଗଲା ମୋର କୌଣସି କ୍ଷତି ନ ପହଞ୍ଚେଇ । ଏଇଥିରୁ ଦୁଇଟି କଥା ମୁଁ ଜୀବନରେ ଶିକ୍ଷା ଲାଭ କଲି । ପ୍ରଥମଟି ଅଯାଚିତ ଭାବେ କାହା ପ୍ରତି ସ୍ନେହ କି ଯତ୍ନ ଭାବ ଦେଖେଇଲେ, ଲାତ ଖାଇବା ଥୟ। ଆଉ ଦ୍ବିତୀୟଟି ଲାଞ୍ଚ, କଠିନରୁ କଠିନ ହୃଦୟକୁ ତରଳେଇ ଦେବାର ସାମର୍ଥ୍ୟ ରଖେ ।

ଏ ବିଷୟରେ ମୁଁ ଅଧିକ ଗବେଷଣା କରି ଜାଣିଲି, ଦେଶରେ ସାମ୍ୟବାଦ ଆଣିବାକୁ ହେଲେ ଲାଞ୍ଚ ଓ ଦୁର୍ନୀତିକୁ ଆଇନ ସମ୍ମତ କରିବାକୁ ହେବ। ସେ ଯେତେ ବଡ଼ ଅଫିସର ହୋଇଥାନ୍ତୁ ନା କାହିଁକି ତାଙ୍କୁ ଲାଞ୍ଚ ଦେଉଥିବା ଗରିବ ଲୋକକୁ ଅତି ସଦୟ ଦୃଷ୍ଟିରେ ଦେଖନ୍ତି । ମଧୁର କଥା ହୁଅନ୍ତି । ସୁବିଧା ଥିଲେ ଚା’ ପାଣି ଦେଇ ଆପ୍ୟାୟିତ କରନ୍ତି । ଅଗ୍ରାଧିକାର ଭିତ୍ତିରେ ଆଗ ତାଙ୍କ କାମ କରନ୍ତି । ସେଠି ଗରିବ ଧନୀ, ବଡ଼ ସାନ, ବର୍ଣ୍ଣ ଆଦିର ଭେଦ ଭାବ ନ ଥାଏ । ଲାଞ୍ଚ ଦେଉଥିବା ଲୋକ ଓ ନେଉଥିବା ଲୋକ ଉଭୟଙ୍କ ଭିତରେ ଅଦ୍ଭୁତ ଭାଇଚାରାର ଭାବ ଥାଏ । ଲାଞ୍ଚ ନେଉଥିବା ଲୋକ ଦେଉଥିବା ଲୋକର ଧର୍ମ କି ଜାତି ପଚାରେନା । ଲାଞ୍ଚ ଏପରି ଏକ ଜାତି ଯେଉଁଠି ଭେଦଭାବ ନାହିଁ । କ୍ଷୀରରୁ ଲହୁଣି ବାହାର କରିବାରେ ଚରଖାର ଭୂମିକା ଯାହା ଅଧର୍ମକୁ ଧର୍ମରେ ପରିଣତ କରିବାରେ ଲାଞ୍ଚର ଭୂମିକା ତାହା। ବସ୍ତୁ ଭାରି ହେଲେ ତାହା ନିମ୍ନଗାମୀ ହୁଏ। କିନ୍ତୁ ଲାଞ୍ଚ ଭାରି ହେଲେ ତାହା ଭାଗ ହୋଇ ଊର୍ଦ୍ଧ୍ୱଗାମୀ ହୁଏ। ଲାଞ୍ଚ ଏପରି ଏକ ଜିନିଷ ଯାହାକୁ ମିଳି ମିଶି ଭାଗ ବାଣ୍ଟି ଖାଇବାକୁ ହୁଏ। ଅନ୍ୟମାନଙ୍କ ସହ ବାଣ୍ଟି ଖାଇବାରେ ବିଶ୍ୱାସ ରଖୁ ନ ଥିବା ସ୍ବାର୍ଥୀ ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅର୍ଥନୀତିରେ ମୁଦ୍ରାର ବିନିମୟ ଚକ୍ର ଆଧାରରେ ଅନ୍ୟର କାମ କରିବା ପାଇଁ ଲାଞ୍ଚ ନେଉଥିବା ଲୋକ ନିଜ କାମ ପାଇଁ ଅନ୍ୟକୁ ଲାଞ୍ଚ ଦେଉଛି । ସେ ଲୋକ ପୁଣି ଅନ୍ୟକୁ ଏହିପରି ମୁଦ୍ରା ବିଭିନ୍ନ ହାତ ହୋଇ ଶେଷରେ ପ୍ରଥମ ବ୍ୟକ୍ତି ପାଖକୁ ଲାଞ୍ଚ ଆକାରରେ ଫେରି ଏକ ସମ୍ପୂର୍ଣ୍ଣ ଚକ୍ର ପୂରାକରୁଛି । ଅର୍ଥନୀତିଜ୍ଞ ଏୟା ହିଁ ଚାହାନ୍ତି । ମୁଦ୍ରା ସବୁବେଳେ ବଜାରରେ ଗତିଶୀଳ ହେଉଥାଉ । ତେଣୁ ନିଜେ ଲାଞ୍ଚ ନିଅନ୍ତୁ ଓ ନିଜ କାମ ପାଇଁ ଅନ୍ୟକୁ ମଧ୍ୟ ଲାଞ୍ଚ ଦିଅନ୍ତୁ ।

ଲାଞ୍ଚର ବଡ଼ଭାଇ ହେଲା ଦୁର୍ନୀତି। ବଡ଼ ବଡ଼ିଆ ଲାଞ୍ଚ ନେଲେ ତାକୁ ଦୁର୍ନୀତି କୁହାଯାଏ । ଲାଞ୍ଚ ଭଳି ଏଠି ଆଠେଣି ଚାରେଣିର କଥା ନ ଥାଏ। ଏଠି ସବୁ ‘କୋ’ କି ‘ଲ’ ଉପରେ କଥା ଚାଲେ । ଦେଶ ଯେତେ ଆଗଉଛି ଦୁର୍ନୀତିର ପରିମାଣ ସେତିକି ବଢୁଛି । ଅତିକମରେ ହଜାରେ କୋଟିର ଦୁର୍ନୀତି ନ ହେଲେ ତାହା ଦୁର୍ନୀତି ପଦବାଚ୍ୟ ନୁହେଁ ବୋଲି ଏବେ ଧରାଯାଉଛି। ଏକଦା ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପାଞ୍ଚ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଲା। ଏଥିରେ ମନ୍ତ୍ରୀ ମହୋଦୟ କ୍ଷୁବ୍ଧ ହେଲେ। ଯେଉଁଠି ରାଜ୍ୟର ସାଧାରଣ ମନ୍ତ୍ରୀ ଓ ଅମଲାମାନେ ମିଶି ହଜାରେ କୋଟିର ଦୁର୍ନୀତି କରି ହାକୁଟି ମାରିଦେଉଛନ୍ତି, ସେଠି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ମାତ୍ର ପାଞ୍ଚ ଶହ କୋଟିର ଦୁର୍ନୀତି ଅଭିଯୋଗ ତାଙ୍କ ପଦ ମର୍ଯ୍ୟାଦା ପ୍ରତି ଅପମାନ। ତିନି ଟ୍ରିଲିଅନ ଅର୍ଥନୀତିର ଦେଶରେ ଦଶ କୋଡିଏ ହଜାର କୋଟିର ଦୁର୍ନୀତି ନ ହେଲେ କ’ଣ ଶୋଭା ଦିଶିବ!!

ଚତୁର ମଣିଷ ଭଗବାନଙ୍କୁ ବି ଲାଞ୍ଚୁଆ ବନେଇ ସାରିଲାଣି। ପ୍ରଭୁ ତୁମ କୃପାରୁ ମୋର ସେ କାମ ହୋଇଗଲେ ତୁମ ପାଇଁ ଏୟା କରିବି। ପ୍ରଭୁ ହେଲେ ତ୍ରିକାଳଦର୍ଶି ସବୁ ଜାଣନ୍ତି । ଟଙ୍କିକିଆ କଏନ ଦାନ ବାକ୍ସରେ ପକାଉଥିବା ଭକ୍ତ କାମ ହେଲେ ଯେଉଁ ରୁପା ମୁକୁଟ ଦେବ ବୋଲି କହୁଛି ସେଥିରେ ସତ୍ୟତା କେତେ। ଜଟା ହୋଇଯାଇଥିବା ମୁଣ୍ଡର ଜନ୍ମ ବାଳ ଦେଇ ଦୀର୍ଘାୟୁ ବର ମାଗୁଥିବା ଲୋକ କିମ୍ବା ଶୁଖିଲା ଉଖୁଡ଼ା ଓ ଆଙ୍ଗୁଠି ସାଇଜର ପୂଜା କଦଳୀ ଦେଇ ପରୀକ୍ଷାରେ ପାସ ହେବା ବର ମାଗୁଥିବା ଛାତ୍ରକୁ ପ୍ରଭୁ ହାଡ଼େ ହାଡ଼େ ଚିହ୍ନନ୍ତି ଓ ସେଇ ଅନୁଯାୟୀ କୃପା କରନ୍ତି। ମନ୍ଦିରରେ ମାର୍ବଲ ବିଛେଇ ପ୍ରଭୁଙ୍କୁ ସୁନା ମୁକୁଟ ଦେଉଥିବା କଣ୍ଟ୍ରାକ୍ଟରକୁ କୋଟି କୋଟି ଟଙ୍କାର କାମ ପ୍ରତିବର୍ଷ ମିଳେ । ପ୍ରଭୁଙ୍କ କୃପାରୁ ପ୍ରତିବର୍ଷ ବର୍ଷା ଯୋଗୁ ରାସ୍ତା ଧୋଇ ହୋଇଯାଏ ଓ କଣ୍ଟ୍ରାକ୍ଟରକୁ ରାସ୍ତା ତିଆରି ପାଇଁ ପୁନଃ କାମ ମିଳୁଥାଏ ଏବଂ ସେହି ଅନୁପାତରେ ପ୍ରଭୁ ନିଜେ ସୁନା ଛାଉଣୀ ହେବା ସହ ତାଙ୍କ ମନ୍ଦିରର ଉନ୍ନତି ହୋଇ ଚାଲିଥାଏ। ତେଣୁ ଲାଞ୍ଚ ଦେବାରେ କାର୍ପଣ୍ୟ ଦେଖେଇବା ଲୋକର କୌଣସି କାର୍ଯ୍ୟ ସିଦ୍ଧ ହୁଏନି। ଲାଞ୍ଚ ସବୁବେଳେ ଖୋଲା ମନରେ, ବଡ଼ ଶ୍ରଦ୍ଧାରେ ଓ ଅତ୍ୟନ୍ତ ବିନମ୍ରତାର ସହ ଦେବା ଉଚିତ।

କୁହାଯାଏ ଜ୍ଞାନ ବାଣ୍ଟିଲେ ବଢ଼େ। ମୁଁ ଏଯାବତ୍‌ ଯେତିକି ସଚ୍ଚୋଟ କର୍ମଚାରୀଙ୍କୁ ଲାଞ୍ଚୁଆ କରିସାରିଛି ତାହା ମୋ ଜୀବନର ଅନ୍ୟତମ ପ୍ରମୁଖ ଉପଲବ୍ଧି ବୋଲି ମୁଁ ଭାବେ। ଆପଣା ମୁଖରେ ଆପଣା ପ୍ରଶଂସା କରିବାକୁ ବଡ଼ ଲାଜ। ଆଜି ବି ରାସ୍ତାରେ କେଉଁ ପରିଚିତ ଲାଞ୍ଚୁଆ ବ୍ୟକ୍ତି ଦେଖାହୋଇଗଲେ ଅତ୍ୟନ୍ତ ସମ୍ମାନ ଦେଖାନ୍ତି। କେହି ପଚାରିଲେ ମୋ ବିଷୟରେ ଭାବପ୍ରବଣ ହୋଇ କୁହନ୍ତି- ପ୍ରଥମେ ମୁଁ ବେଶ୍‌ କର୍ମଠ ଓ ସଚ୍ଚୋଟ ଥିଲି । ମୋ ଜୀବନର ପ୍ରଥମ ଲାଞ୍ଚ ବାଧ୍ୟକରି ଏଇ ସାର୍‌ ମୋର ଅନିଚ୍ଛା ସତ୍ତ୍ୱେ ମୋ ପକେଟରେ ଗୁଞ୍ଜି ଦେଇଥିଲେ । ଆଦରରେ କହିଥିଲେ, ଟିକେ ଦେଖିବେ । ମୁଁ ତାଙ୍କ କାମ ଦେଖିଲି, ଆଉ ସେ ମୋତେ। ଆସ୍ତେ ଆସ୍ତେ ସେ ମୋତେ ଲାଞ୍ଚର ଅନେକ ସୂକ୍ଷ୍ମ ଉପାୟ ବତେଇଦେଲେ। ମହାଶୟଙ୍କ ଦୁଇଟି କଥା ମୋତେ ବହୁ ମାତ୍ରାରେ ପ୍ରଭାବିତ କରିଛି । ପ୍ରଥମଟି ହେଲା ଲାଞ୍ଚ ଦେଉଥିବା ଲୋକ ସର୍ବଦା ମନେରଖିବା ଉଚିତ ଯେ ଆମେ ଇନ୍ଦ୍ରଦ୍ୟୁମ୍ନଙ୍କ ବଂଶଜ। ଡାହାଣ ହାତ ଲାଞ୍ଚ ଦେଉଛି ବୋଲି ଯେମିତି ବାମ ହାତ ଜାଣି ଗର୍ବ ନ କରୁ। ଏଣୁ ଦେଉଥିବା ଲୋକ ଅତ୍ୟନ୍ତ ସନ୍ତର୍ପଣ ଓ ସତର୍କତାର ସହ ଲାଞ୍ଚ ଦେବା ଉଚିତ। ଠିକ୍‌ ସେହିପରି ନେଉଥିବା ଲୋକ ମନେରଖିବା ଉଚିତ ଯେ ସେ ବଉଳା ଗାଈ ପ୍ରଜାତିର । ଥରେ ଲାଞ୍ଚ ନେଇ କଥା ଦେଇଛ ମାନେ କାର୍ଯ୍ୟ କରିବାକୁ ହେବ । ତେଣିକି ନିଜ ପିଲାକୁ ଛାଡି ବାଘ ପାଖକୁ ଯିବାକୁ ପଡିଲେ ବି ସହି ନଚେତ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ। କାମ ଏମିତି କରିବ ଯେମିତି ଆଗାମୀ ଶହେ ବର୍ଷ ପରେ ଯଦି କିଏ ଆଜିର ଫାଇଲ ଖୋଲି ଦେଖିବ ତେବେ କହିବ ଏ କାଳ ଖଣ୍ଡରେ ଯାହା ବି କାର୍ଯ୍ୟ ହୋଇଛି ତାହା ଠିକ ଭାବେ ବିଭାଗୀୟ ମାର୍ଗଦର୍ଶିକା ଓ ଆଇନର ପରିସର ଭିତରେ ହୋଇଛି । କୌଣସି ଅନିୟମିତତା ହୋଇନି। ତେଣୁ ଜଣେ ଉତ୍ତମ ଲାଞ୍ଚୁଆ ଅଧିକାରୀର ଗୁଣ ହେଲା ସବୁ ବେନିୟମ କାଗଜପତ୍ରକୁ ଏମିତି ତିଆରି କରିବ ଯେମିତି ତାହା ନିୟମ ଅନ୍ତର୍ଗତ ବୋଲି ପ୍ରମାଣିତ ହେଉଥିବ। ମୁଁ ଏହି ଗୁରୁବାଣୀକୁ ଜୀବନର ବ୍ରତ ଭାବି କାନିରେ ଗଣ୍ଠି ବାନ୍ଧିଲା ଭଳି ମନେରଖିଛି । କେବଳ ଏଇ ବାବୁଙ୍କ ଯୋଗୁ ଆଜି ସହରରେ ମୋର ତିନିଟା ଅଟ୍ଟାଳିକା, ଚାରିଟା ଗାଡି । ଦିନକୁ ଦିନ ମୋର ଉନ୍ନତି ହେବାରେ ଲାଗିଛି । ସବୁ କାମ ପାଇଁ ଫିକ୍ସ଼ ରେଟ ଅଛି । ଲୋକ ଆସୁଛନ୍ତି ବିନା ଧାଁ ଦୌଡ଼ରେ ଖୁସି ଖୁସି କାମ ଅନୁଯାୟୀ ଧାର୍ଯ୍ୟ ମୂଲ୍ୟ ଦେଉଛନ୍ତି । ମୁଁ ବି ଖୁସି, ଖୁସିରେ ସେମାନଙ୍କ କାମ କରିଦେଉଛି । ଏହି ବାବୁ ନ ଥିଲେ ଆଜି ଯାଏ ହୁଏତ ମୁଁ ସେଇ ଭଙ୍ଗା ସାଇକେଲ ପେଲୁଥାନ୍ତି। ସେ ମଣିଷ ନୁହନ୍ତି ତ ମୋ ପାଇଁ ସାକ୍ଷାତ ଦେବତା। ମୋ ଭଳି ଅନେକ ଲୋକଙ୍କ ଜୀବନ ସୁଧାରିବାରେ ସାରେଙ୍କ ଅବଦାନ କହିଲେ ନ ସରେ।
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ:୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?