ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l ଆଇନଶୃଙ୍ଖଳା ରକ୍ଷା ଆଳରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ ସେବାୟତମାନେ ରବିବାର ଭୋରରୁ ଧାରଣା କରିବାରୁୁ ଠାକୁରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି ।
ମହାପ୍ରଭୁଙ୍କ ପାଇଁ ଚକାପିଠା ପ୍ରସ୍ତୁତି ପାଇଁ ବଟା ହୋଇଥିବା ବିରି ଓ ନାଗାଉରଣ ବେଶ ପାଇଁ ଅଳଙ୍କାର ଦେଓଗାଁ ଜଗନ୍ନାଥ ମନ୍ଦିରରୁ ସେବାୟତମାନେ ନେଇ ଯାଉଥିବାବେଳେ ବାରବାଙ୍କ ରାସ୍ତାରେ ପୋଲିସ ସେବାୟତଙ୍କୁ ଛାଡ଼ିନଥିଲେ। ଏହାର ପ୍ରତିବାଦରେ ସେବାୟତମାନେ ଧାରଣା ଦେଇଛନ୍ତି। ଦେବୋତ୍ତର ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବୁଝାସୁଝା କରି ବିଫଳ ହୋଇଥିବା ଜଣାପଡ଼ିଛି । ମହାଶିବରାତ୍ରୀରେ ମହାପ୍ରଭୁ ଉପବାସରେ ରହିବାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି ।