ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG) ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ଡେଥ୍ ନୋଟ୍ ଜବତ କରିଛି, ଯେଉଁଥିରେ ସେ ନିଜର ମାନସିକ ଅବସାଦ ଏବଂ ପରିବାର ପକ୍ଷରୁ ବିବାହ ପାଇଁ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରିଛନ୍ତି।
ନନ୍ଦିନୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ସେ ଏବେ ବିବାହ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ମଧ୍ୟ ପରିବାର ଲୋକେ ତାଙ୍କ ଉପରେ ଜୋର ଜବରଦସ୍ତ କରୁଥିଲେ। ଏହା ବ୍ୟତୀତ ସେ ଅଭିନୟ ଜାରି ରଖିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ତାଙ୍କୁ ସରକାରୀ ଚାକିରି କରିବାକୁ ବାଧ୍ୟ କରୁଥିଲେ। ଦୀର୍ଘ ଦିନରୁ ସେ ମାନସିକ ଚାପ ଓ ଅବସାଦ ଦେଇ ଗତି କରୁଥିବା ଏହି ନୋଟ୍ରୁ ଜଣାପଡ଼ିଛି।
ବର୍ତ୍ତମାନ ସେ ଏହି ତାମିଲ ସିରିଏଲରେ ‘କନକା’ ଓ ‘ଦୁର୍ଗା’ ଭଳି ଦ୍ୱୈତ ଭୂମିକାରେ ଅଭିନୟ କରୁଥିଲେ। ସେ ‘ଜୀବା ହୁଭାଗିଡେ’, ‘ସଂଘର୍ଷ’, ‘ମଧୁମଗାଲୁ’ ଏବଂ ‘ନୀନାଦେ ନା’ ଭଳି ଲୋକପ୍ରିୟ ଧାରାବାହିକରେ କାର୍ଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ସୋସିଆଲ ମିଡିଆରେ ଏବେ ଏକ ଦୁଃଖଦ ସଂଯୋଗକୁ ନେଇ ଚର୍ଚ୍ଚା ହେଉଛି। ତାଙ୍କର ସାମ୍ପ୍ରତିକ ସିରିଏଲ ‘ଗୌରୀ’ର ଏକ ଦୃଶ୍ୟରେ ତାଙ୍କ ଚରିତ୍ର ବିଷ ପିଇ ଆତ୍ମହତ୍ୟା କରିଥିଲା। ଏହି ଅନ୍-ସ୍କ୍ରିନ୍ ଘଟଣାର କିଛି ଦିନ ପରେ ବାସ୍ତବ ଜୀବନରେ ତାଙ୍କର ଏଭଳି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।
ବେଙ୍ଗାଲୁରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତାଙ୍କ ବନ୍ଧୁବାନ୍ଧବ ଏବଂ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଉଛି। ନନ୍ଦିନୀଙ୍କ ଅକାଳ ବିୟୋଗରେ ତାମିଲ ଓ କନ୍ନଡ କଳାକାରମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

