ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡ଼ିଛି। ଗାଁ ଗାଁରେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପାଇଁ ଗୁହାଳ ଘର ପ୍ରସ୍ତୁତି ସହ ରଙ୍ଗ ବେରଙ୍ଗର ଆଲୁଅ ମାଳରେ ସଜ୍ଜିତ କରାଯାଇଛି। ପ୍ରାକ୍‌ ଖ୍ରୀଷ୍ଟମାସ ସହ କାଣ୍ଟାଟା ପାଳନ ହୋଇଛି। ତେବେ ଏହି ପର୍ବକୁ ଉତ୍ସବ ମୁଖର କରିବା ସହ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ୍‌ ସଭାଗୃହରେ ସୋମବାର ବଡ଼ଦିନ ପର୍ବ ପାଳନ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଦାରିଙ୍ଗବାଡ଼ି ତହସିଲଦାର ଧୀରୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ, ଏସ୍‌ଡିପିଓ ଶୁଭମ ଭୋସଲେ, ବିଡ଼ିଓ ପ୍ରୀତିରଞ୍ଜନ ରଥ ମଞ୍ଚାସିନ ରହି ଶାନ୍ତିଶୃଙ୍ଖଳା ସହ ବଡ଼ଦିନ ପାଳନ ପାଇଁ ଆଲୋଚନା କରିଥିଲେ। ବୈଠକରେ ଦାରିଙ୍ଗବାଡ଼ିର ଟ୍ରାଫିକ୍‌ ସମସ୍ୟାର ସମାଧାନ, ଉଠାଦୋକାନୀଙ୍କ ସମସ୍ୟାର ସମାଧାନ, ଷ୍ଟ୍ରିଟ୍‌ଲାଇଟର ମରାମତି, ପରିବେଶର ସୁରକ୍ଷା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ସାମ୍ପ୍ରଦାୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି ହେଉଛି। ଏହାସହ ବାଇକ ଷ୍ଟଣ୍ଟ ସମେତ ଦ୍ରୁତ ଗତିରେ ଗାଡ଼ି ଚାଳନାକୁ ରୋକାଯିବାକୁ ପୋଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ପାଇଁ ବୈଠକରେ କୁହାଯାଇଥିଲା। ସେହିପରି ଅଞ୍ଚଳରେ ଚୋରା ମଦକାରବାର ବନ୍ଦ କରାଗଲେ ଅଞ୍ଚଳରେ ବିଶୃଙ୍ଖଳା ହେବନାହିଁ ତେଣୁ ପୋଲିସ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ଅଞ୍ଚଳବାସୀ ଦାବି କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍‌ପି ତଥା ଥାନା ଅଧିକାରୀ କନକ ମାଝୀ, ଇନ୍ସପେକ୍ଟର ସଂଗ୍ରାମ କେଶରୀ ଜେନା, ବଣିକ ସଙ୍ଘ ସଭାପତି ଲଡ଼ୁ କିଶୋର ସାହୁ, ଖ୍ରୀଷ୍ଟିୟାନ ଜନ କଲ୍ୟାଣର ସଭାପତି ସୁନୀଲ କୁମାର ପ୍ରଧାନ, ସମ୍ପାଦକ ସଞ୍ଜୀବ ପ୍ରଧାନ, କୋଷଧ୍ୟକ୍ଷ ଧିରେନ ପ୍ରଧାନ, କୁଇ ସମାଜର ସମ୍ପାଦକ ଶୁକଦେ ପ୍ରଧାନ, ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ସିର୍କାବର୍ଗ ସମିତିସଭ୍ୟ ଶ୍ୟାମଘନ ପ୍ରଧାନ, ଭ୍ରମରବାଡ଼ି ସମିତିସଭ୍ୟା ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।