ବଲାଙ୍ଗୀର,୧୩ା୩(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଜିଲାର ପାନୀୟ ଜଳ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଉନ୍ନତିକରଣ ଏବଂ ଯୁବତୀ-ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ସେ ପ୍ରଶ୍ନ କରିଥିଲେ। କଳିକେଶ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ସମ୍ପୃକ୍ତ ବିଭାଗ ପକ୍ଷରୁ ଦିଆଯାଇଥିବା ଜଣାଇଛନ୍ତି। ଏକ ପ୍ରେସ ବିଜ୍ଞପ୍ତିରେ ବିଧାୟକ କଳିକେଶ ବିଭିନ୍ନ ବିଭାଗରୁ ପାଇଥିବା ଉତ୍ତର ସମ୍ପର୍କରେ ଜଣାଇଛନ୍ତି। ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଟାଉନ ଥାନାର ଏକ ନୂଆ ବିଲଡିଂ ନିର୍ମାଣର ପ୍ରସ୍ତାବ ରହିଥିବା ଜଣାଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ପ୍ରୟୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଏକ ଆଇଟି ପାର୍କ ସ୍ଥାପନ ହେବ ବୋଲି କହିଥିବା ଜଣାଇଛନ୍ତି। ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ପାନୀୟ ଜଳଯୋଗାଣ ପାଇଁ ଚାଲିଥିବା ପ୍ରକଳ୍ପଗୁଡିକ ଆସନ୍ତା ଜୁନ ଓ ଡିସେମ୍ବର ସୁଦ୍ଧା ସରିବ ବୋଲି ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲାରେ ଖଣିଖନନ ଓ ପରିବେଶ ସୁରକ୍ଷା ତଥା ଯୁବତୀ, ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ କଳିକେଶ କରିଥିବା ପ୍ରଶ୍ନରେ ଖଣିମନ୍ତ୍ରୀ ଜିଲାରେ ୨୦୨୫-୨୬ରେ ୪ଟି ଖଣି ବ୍ଲକ ନିଲାମ ହୋଇଛି। ଏଥିରେ ତେଲିପଦର-ଲୁକାପଡା-ପିପଲମୁଣ୍ଡା ଚୁନପଥର ଖଣିକୁ ରାଜ୍ୟ ସରକାର ନିଲାମ କରିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଭରତବାହାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ, ଲରମ୍ଭା ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ, କନେଇଟାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକକୁ ନିଲାମ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାରେ କୌଣସି ଖଣିଜଭିତ୍ତିକ ଶିଳ୍ପ ସ୍ଥାପନ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଉତ୍ତର ଦେଇଥିବା କଳିକେଶ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏହାସହିତ ଜିଲାରେ ବନୀକରଣ, ବେକାର ଯୁବତୀ, ଯୁବକଙ୍କୁ ତାଲିମ ପ୍ରସଙ୍ଗରେ ମଧ୍ୟ ବିଧାୟକ ସିଂଦେଓ ପ୍ରଶ୍ନ ଉପସ୍ଥାପନ କରିଥିବା ଜଣାଇଛନ୍ତି।