ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ ଯୋଗୁ ଚିକଲପଦରସ୍ଥିତ କପା ଫ୍ୟାକ୍ଟିର ସମ୍ମୁଖରେ ଗୋଟାଏ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଉମରକୋଟ – ରାଇଘର ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଯାନବାହାନ ଚଳାଚଳ ବନ୍ଦ ଥିଲା।
ଖବରପାଇ ଉମରକୋଟ ଅଗ୍ନିଶମ ବାହିନୀ କେନ୍ଦ୍ର ଅଧିକାରୀ ଭାଗିରଥି ବାଣୁଆ, ହରିଶଙ୍କର ସୁନାନୀ, ଜଗଦୀଶ କାଣ୍ଡ, ଯଦୁମଣି ଏକ୍କା ଓ ଶଙ୍କର ମାଝି ପ୍ରମୁଖ କର୍ମଚାରୀ ଗଛ କାଟି ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।
ସେହିପରି ଫେକ୍ଟରି ନିକଟରେ ନୂତନ ଭାବେ ନିର୍ମାଣ ହୋଇଥିବା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟର ଟିଣ ଉଡ଼ି ଭିତରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି। ସେହିପରି ୟୁଭି ୪,ମୃତମା, ସୁକିଗା ଆଦି ପଞ୍ଚାୟତରେ ମକା ଗଛ ଗୁଡ଼ିକ ଭାଙ୍ଗି ଯାଇଥିବା ଖବର ମିଳିଛି।

