ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇପଡ଼ିଥିଲେ। ବନ୍ଧ, ପୋଖରୀ, ଗାଡିଆ ଶୁଖିଲା ପଡ଼ିଥିବା ଯୋଗୁ ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତେ ଡହକ ବିକଳ ହୋଇ ଅସରାଏ ବର୍ଷା ପାଇଁ ଚାହିଁ ରହିଥିଲେ। ଶନିବାର କାଳ ବୈଶାଖୀ ପ୍ରଭାବରେ ପାଣିପାଗରେ ହଠାତ ପରିବର୍ତ୍ତନ ହୋଇ ଅପରାହ୍ନ ୪ଟା ବେଳକୁ ଆକାଶ ମେଘାଚ୍ଛନ୍ନ ହୋଇ ବର୍ଷା ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ବର୍ଷା ହେବା ଫଳରେ ପାଗରେ ପରିବର୍ତ୍ତନ ହୋଇଛି। ଏହି ବର୍ଷା ଯୋଗୁ ଖରାଟି ଫସଲ ଅମଳ ପାଇଁ ପାଗ ଅନୁକୂଳ ହୋଇଛି। ଗଞ୍ଜାମର ଗଣ ପର୍ବ ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ଦଣ୍ଡ ଧାରୀମାନେ ବେଶ ଆଶ୍ବସ୍ତ ହୋଇଛନ୍ତି।


