ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକସ୍ତରୀୟ ୨୮ତମ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୬’ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। କଳାହାଣ୍ଡି ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି। ଉତ୍ସବର ପରମ୍ପରା ଅନୁଯାୟୀ, ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରୁ ଏକ ଭବ୍ୟ ମଶାଲ ଓ କଳସ ଯାତ୍ରା ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ଚିଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲି ସରକାରୀ କାର୍ଯ୍ୟ ବ୍ୟସ୍ତତା ହେତୁ ଅନୁପସ୍ଥିତ ଥିବାରୁ ତାଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମା’ଙ୍କୁ ମଞ୍ଚରେ ସ୍ଥାପନା କରାଯାଇଥିଲା। ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ସାଂସଦ ପ୍ରତିନିଧି ପବିତ୍ର ନିଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଳାହାଣ୍ଡିର ସମୃଦ୍ଧ ଲୋକ ସଂସ୍କୃତି ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ଉଦ୍ଘାଟନୀ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ତହସିଲଦାର ସତ୍ୟସନାତନ ପାଣିଗ୍ରାହୀ, ପୂର୍ବତନ ଅତିରିକ୍ତ ତହସିଲଦାର ସନାତନ ମହାରଣା, ଅତିରିକ୍ତ ତହସିଲଦାର ତପନ କୁମାର ପତି, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରଭାରୀ ବିଷ୍ଣୁ ନାଏକ, ସ୍ଥାନୀୟ ଥାନା ଅଧିକାରୀ କୈବଲ୍ୟ ସେଠ୍, କର୍ଲାପାଟ ଓଆଇସି ଶ୍ରୀକାନ୍ତ କୋଲକା, ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ଜିଲା ପରିଷଦ ସଭ୍ୟା ଟୁନି ଖୋସ୍ଲା, କଂଗ୍ରେସ ନେତା ପରମେସ୍ୱର ନାଏକ,ଦେବୀ ଚରଣ ଭାଟି, ସରପଞ୍ଚ ବିଜୟା ମାଝୀ, ବିରଞ୍ଚି ନାଏକ ଓ ଅଭିରାମ ନାଏକ ପ୍ରମୁଖ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିବସରେ ବ୍ଲକ ର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ମନୋଜ୍ଞ ନୃତ୍ୟ ପରିବେଷିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏବିଓ ହେମନ୍ତ କୁମାର ପଣ୍ଡା, ଜିପିଡିଓ ବାଲେଶ୍ୱର ନାଏକ ଓ ଅଧ୍ୟାପକ ବବ୍ରୁବାହାନ ବୁଦ୍ଧିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ବୁଧବାର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତୃପ୍ତିରେଖା ପାଢ଼ୀ। ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


